Categories: ଜାତୀୟ

ହନୁମାନ ଜନ୍ମସ୍ଥାନକୁ ନେଇ ୨ ଟ୍ରଷ୍ଟ ମଧ୍ୟରେ ବିବାଦ

ହାଇଦ୍ରାବାଦ,୧୫।୨: ଅଯୋଧ୍ୟା ରାମ ଜନ୍ମଭୂମି ବିବାଦ ୨୦୧୯ ନଭେମ୍ବରରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ସମାଧାନ ହେବା ପରେ ଏବେ ହନୁମାନ ଜନ୍ମସ୍ଥାନକୁ ନେଇ ନୂଆ ବିବାଦ ଦେଖାଦେଇଛି। ତେବେ ଏହି ବିବାଦ ଦୁଇ ଧର୍ମ ମଧ୍ୟରେ ନୁହେଁ, ବରଂ ଦୁଇ ହିନ୍ଦୁ ଟ୍ରଷ୍ଟ ମଧ୍ୟରେ ହୋଇଛି। ଆନ୍ଧ୍ରପ୍ରଦେଶ ଓ କର୍ନାଟକର ଦୁଇଟି ହିନ୍ଦୁ ଟ୍ରଷ୍ଟ ହନୁମାନଙ୍କ ଜନ୍ମଭୂମି ଭିନ୍ନ ଭିନ୍ନ ସ୍ଥାନରେ ବୋଲି ଦାବି କରୁଛନ୍ତି। ଆନ୍ଧ୍ରପ୍ରଦେଶର ତିରୁମାଲା ତିରୁପତି ଦେବସ୍ଥାନମ୍‌ (ଟିଟିଡି) ତିରୁମାନଲା ହିଲ୍‌ର ଅଞ୍ଜନାଦ୍ରୀଠାରେ ଏକ ମନ୍ଦିର ଓ ପର୍ଯ୍ୟଟନ ସ୍ଥଳ ନିର୍ମାଣ ପାଇଁ ବୁଧବାର ଉତ୍ସବ ଯୋଜନା କରିଛି। ଗତବର୍ଷ ରାମନବମୀରେ ଉକ୍ତ ସ୍ଥାନକୁ ହନୁମାନଙ୍କ ଜନ୍ମସ୍ଥାନ ଭାବେ ଅଭିଷେକ କରାଯାଇଥିଲା। ତେବେ କର୍ନାଟକର ଶ୍ରୀ ହନୁମଦ୍‌ ଜନ୍ମଭୂମି ତୀର୍ଥକ୍ଷେତ୍ର ଏଥିରେ ସହମତ ନୁହେଁ।
ଟ୍ରଷ୍ଟ କହିବା ଅନୁଯାୟୀ, ବାଲ୍ମୀକି ରାମାୟଣରେ ହନୁମାନ କିସ୍କିନ୍ଧାର ଅଞ୍ଜନାହାଲ୍ଲିରେ ଜନ୍ମଗ୍ରହଣ କରିଥିବା ଉଲ୍ଲେଖ ରହିଛି। ଏହା ହାମ୍ପି ନିକଟବର୍ତ୍ତୀ ତୁଙ୍ଗଭଦ୍ରା ନଦୀକୂଳରେ ଅବସ୍ଥିତ। ବିବାଦର ସମାଧାନ ଲାଗି ଗତବର୍ଷ ମେ’ରେ ଆଲୋଚନା ହୋଇଥିଲେ ହେଁ, ସହମତି ହୋଇପାରି ନ ଥିଲା। ପୁରାଣ ଓ ତାମ୍ରଲିପିଗୁଡ଼ିକରେ ଅଞ୍ଜନାଦ୍ରି ସ୍ପଷ୍ଟ ଉଲ୍ଲେଖ ରହିଛି, ଯାହା ଏବେ ତିରୁମାଲା ଭାବେ ପରିଚିତ ଏବଂ ହନୁମାନଙ୍କ ଜନ୍ମସ୍ଥାନ ବୋଲି ଟିଟିଡି କମିଟି କହିଛି। ଗତବର୍ଷ ଏପ୍ରିଲରେ ଟିଟିଡି ଏକ ପୁସ୍ତିକା ପ୍ରକାଶ କରିଥିଲା, ଯେଉଁଥିରେ ଅଞ୍ଜନାଦ୍ରି ହନୁମାନଙ୍କ ଜନ୍ମସ୍ଥାନ ବୋଲି ୨୦୨୦ ଡିସେମ୍ବରରେ ୮ ଜଣିଆ କମିଟି ଦେଇଥିବା ରିପୋର୍ଟ ଆଧାରରେ ଦାବି କରାଯାଇଥିଲା। ଅନ୍ୟପକ୍ଷରେ ତୀର୍ଥକ୍ଷେତ୍ର ଟ୍ରଷ୍ଟ ଏହାକୁ ବିରୋଧ କରି ଟିଟିଡିକୁ ୬ ପୃଷ୍ଠାର ପତ୍ର ଲେଖିଥିଲା। ତୀର୍ଥକ୍ଷେତ୍ର ଟ୍ରଷ୍ଟ ପାଖରେ କୌଣସି ପ୍ରମାଣ ନ ଥିବା ଟିଟିଡି ଦାବି କରିଛି। ମଧ୍ୟପ୍ରଦେଶ ଚିତ୍ରକୂଟର ଦୃଷ୍ଟିଶକ୍ତିରହିତ ସ୍ବାମୀଜୀ ଏହା ଉପରେ ଚୂଡ଼ନ୍ତ ପ୍ରମାଣ ଦେଇଛନ୍ତି। ବୁଧବାର ଉତ୍ସବରେ ସେ ଯୋଗଦେବେ ବୋଲି ଟିଟିଡି ସିଇଓ ଜଓ୍ବାହାର ରେଡ୍ଡୀ କହିଛନ୍ତି।

Share