ହୀନସ୍ତା କରୁଛି ହନୁ

କାମାକ୍ଷାନଗର, ୧୪।୮(ସୁଧୀର ପରିଡ଼ା): ଏକ ହନୁ ମାଙ୍କଡ଼ ପାଇଁ ଢେଙ୍କାନାଳ ଜିଲା କାମାକ୍ଷାନଗର ସହରରେ କିଛିଦିନ ହେଲା ଅସ୍ବାଭାବିକ ସ୍ଥିତି ସୃଷ୍ଟି ହୋଇଛି। ଖାଦ୍ୟ ଅନ୍ବେଷଣରେ ପଲରୁ ଅଲଗା ହୋଇ ସହରକୁ ଚାଲି ଆସିଥିବା ଉକ୍ତ ହନୁ କେତେବେଳେ ପଥଚାରୀଙ୍କ ଉପରେ ଚଢ଼ିଯାଉଛି ତ ଆଉ କେବେ ବାଇକ୍‌ ଆରୋହୀଙ୍କ ଗାଡ଼ିରେ ଘଣ୍ଟା ଘଣ୍ଟା ଧରି ବସିରହୁଛି। ବ୍ୟବସାୟିକ ପ୍ରତିଷ୍ଠାନ ଆଗରେ ବସି ରହି ଗ୍ରାହକଙ୍କୁ ଖାଦ୍ୟ ମାଗୁଛି। ଖାଇବାକୁ ନ ଦେଲେ କାମୁଡ଼ିବାକୁ ଗୋଡ଼ାଉଛି। ଫଳରେ ବିଭିନ୍ନ ଜରୁରୀ କାର୍ଯ୍ୟରେ ଘରୁ ବାହାରିଥିବା ଲୋକେ, ଦୋକାନକୁ ଆସିଥିବା ଗ୍ରାହକ, ବାଇକ୍‌ ଆରୋହୀ ହଇରାଣ ହରକତ ହେଉଛନ୍ତି। ଯଦିଓ ହନୁ ଆକ୍ରମଣରେ ଅଦ୍ୟାବଧି କେହି ଗୁରୁତର ହୋଇନାହାନ୍ତି, ତଥାପି ତାହାର ଏଭଳି ବ୍ୟବହାର ଭୟ ଆତଙ୍କର ବାତାବରଣ ସୃଷ୍ଟି କରିଛି। ବନ ବିଭାଗ ତୁରନ୍ତ ହନୁଟିକୁ ଧରି ଅନ୍ୟତ୍ର ଛାଡ଼ିବା ଦିଗରେ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।
ଏ ସଂକ୍ରାନ୍ତରେ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅଧିକାରୀ ବନବିହାରୀ ସର୍ଦ୍ଦାର କୁହନ୍ତି, ଉକ୍ତ ଗୋଟିକିଆ ହନୁ କିଛିଦିନ ହେଲା ଅନ୍ବେଷଣରେ ସହରକୁ ପଳାଇ ଆସିଛି। ତେବେ ସେ କାହାରି କୌଣସି କ୍ଷତି କରୁଥିବା ନଜରକୁ ଆସିନାହିଁ। ତାକୁ ବିରକ୍ତ କଲେ ସେ ଆକ୍ରମଣ କରିବାକୁ ଗୋଡ଼ାଉଛି। ଯଦି ହନୁଟି ଉଗ୍ର ହୁଏ, ତେବେ ତାକୁ ଧରିବା ଲାଗି ପଦକ୍ଷେପ ନିଆଯିବ।