ଅମରପାଲି, ୨୭।୯ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ବିଭିନ୍ନ ଗ୍ରାମରେ ମେଗା ପାନୀୟଜଳ ପ୍ରକଳ୍ପ ପାଇଁ ପାଇପ ବିଛାଇବା କାମ ଚାଲିଛି। ଏଥିପାଇଁ ଏକ ଘରୋଇ ଠିକା ସଂସ୍ଥା ପକ୍ଷରୁ ଗାଁ ଦାଣ୍ଡ ଓ କଂକ୍ରିଟ ରାସ୍ତା ମେସିନ୍ ସାହାଯ୍ୟରେ ଖୋଳାଯାଉଛି। ହେଲେ ପାଇପ ବିଛାଇବା ପରେ ଦୀର୍ଘଦିନ ଧରି ରାସ୍ତା ମରାମତି ହେଉ ନ ଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି।
ଅମରପାଲି, ବହଳପଦର, ଅଚଣ୍ଡା, ଭାଲୁଡୁଙ୍ଗୁରୀ କଲନିପଡ଼ା, ସୁବଳୟା, ତେନ୍ତୁଳିମହଦା, ମାଳିଦାଦର, ଉଫୁଲା, ଭାଲୁଡୁଙ୍ଗୁରୀ, କେନଝିରିଆପାଲି, ଚିଙ୍ଗିରାନାଲି, ବିଶାଳପାଲି, ଘିଚାପାଲି ଓ ମେଣ୍ଡିଲିପାଲି ଆଦି ଗ୍ରାମରେ ଏଭଳି ଅଭିଯୋଗ ହୋଇଛି। ବର୍ଷା ଯୋଗୁଁ ଖୋଳା ରାସ୍ତା କାଦୁଅରେ ପଚପଚ ହୋଇପଡ଼ିଥିବାରୁ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହେଉଛି। ବହଳପଦର ଗ୍ରାମରେ ପ୍ରାୟ ୬ ଲକ୍ଷ ଟଙ୍କାରେ ଦୁଇ ବର୍ଷ ତଳେ ନିର୍ମିତ କଂକ୍ରିଟ ରାସ୍ତା ମଧ୍ୟ ପାଇପ ବିଛାଇବା ପାଇଁ ଖୋଳାଯାଇଥିବା ବାବୁଲାଲ ପ୍ରଧାନ ଅଭିଯୋଗ କରିଛନ୍ତି।
ଅମରପାଲିର ଅଂଶୁମାନ ପ୍ରଧାନ କହିଛନ୍ତି, ଗାଁ ଦାଣ୍ଡ ଖୋଳି ପାଇପ ବିଛାଯାଇଥିଲେ ମଧ୍ୟ ରାସ୍ତା ମରାମତି ହୋଇନାହିଁ। ବର୍ଷା ହେଲେ କାଦୁଅ ଜମି ରହୁଥିବାରୁ ବିଶେଷକରି ସ୍କୁଲ ଛାତ୍ରଛାତ୍ରୀଙ୍କ ଯାତାୟାତରେ ସମସ୍ୟା ହେଉଛି। ଲୁତୁରପଙ୍କର ପୃଥ୍ୱୀରାଜ ମହାକୁର ମଧ୍ୟ ଠିକା ସଂସ୍ଥାକୁ କହିବା ସତ୍ତ୍ୱେ ରାସ୍ତା ମରାମତି ହେଉନଥିବା ଅଭିଯୋଗ କରିଛନ୍ତି।
ବୀରମହାରାଜପୁର ବିଡିଓ ରାଜୀବ ହାଁସଦା କହିଛନ୍ତି, କଂକ୍ରିଟ ରାସ୍ତା ଖୋଳିବା ପୂର୍ବରୁ ଠିକା ସଂସ୍ଥାକୁ ବ୍ଲକ କାର୍ଯ୍ୟାଳୟରୁ ଅନୁମତି ନେବାକୁ ପଡ଼େ। ଆବଶ୍ୟକ ଅର୍ଥ ପୈଠ କରି ରାସ୍ତା ମରାମତି କରିବା ପରେ ନିୟମ ଅନୁଯାୟୀ ଜମା ଟଙ୍କା ଫେରସ୍ତ ହୋଇଥାଏ। ତେବେ ସମ୍ପୃକ୍ତ ଠିକା ସଂସ୍ଥା ବ୍ଲକ କାର୍ଯ୍ୟାଳୟରୁ ଏନେଇ କୌଣସି ଅନୁମତି ନେଇ ନ ଥିବା ସେ କହିଛନ୍ତି।
ଆରଡବ୍ଲ୍ୟୁଏସ୍ଏସ୍ ଯନ୍ତ୍ରୀ ମଞ୍ଜୁଲତା ଗୌଡ଼ କହିଛନ୍ତି, ଖୋଳାଯାଇଥିବା ଗାଁ ଦାଣ୍ଡ ଓ କଂକ୍ରିଟ ରାସ୍ତାଗୁଡ଼ିକୁ ମରାମତି କରିବାକୁ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି। ବିଭାଗୀୟ ଯନ୍ତ୍ରୀ ହିମାଂଶୁ ଶେଖର ମହନ୍ତ ମଧ୍ୟ ଠିକା ସଂସ୍ଥା ତାଙ୍କୁ ନ ପଚାରି ରାସ୍ତା ଖୋଳୁଥିବା କହିଛନ୍ତି। ଲୁତୁରପଙ୍କ ସରପଞ୍ଚ ସୂର୍ଯ୍ୟ କୁମାର ନନ୍ଦଙ୍କ ଅନୁଯାୟୀ, ଘିଚାପାଲି ଓ ମେଣ୍ଡିଲିପାଲି ଆଦି ଗ୍ରାମରେ ରାସ୍ତା ଖୋଳାଯାଇଥିଲେ ମଧ୍ୟ ପଞ୍ଚାୟତ ପକ୍ଷରୁ କୌଣସି ଅନୁମତି ଦିଆଯାଇନାହିଁ।
ଗ୍ରାମବାସୀଙ୍କ ଦାବି, ଦୀର୍ଘଦିନ ଧରି ଖୋଳା ଅବସ୍ଥାରେ ଥିବା ରାସ୍ତାଗୁଡ଼ିକୁ ତୁରନ୍ତ ମରାମତି କରାଯାଉ। ଏଥିସହ କଂକ୍ରିଟ ରାସ୍ତାଗୁଡ଼ିକର ପୁନଃ କଂକ୍ରିଟକରଣ କରିବା ସହ ଅନୁମତି ନେଇ ନ ଥିବା ଠିକା ସଂସ୍ଥା ବିରୋଧରେ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରଶାସନ ନିକଟରେ ଦାବି ହୋଇଛି।

