ଢଳେଇ ରାସ୍ତା ଉପରେ ଢଳେଇ

ବିଞ୍ଝାରପୁର,୧୯ା୧୧(ଡି.ଏନ.ଏ.): ବିଞ୍ଝାରପୁର ବ୍ଲକ ବାଚ୍ଛୋଳ ପଞ୍ଚାୟତରେ ଗୋଟିଏ ରାସ୍ତାକୁ ଏକାଧିକ ଥର ଢଳେଇ କରାଯାଉଛି। ମାତ୍ର ସେହି ଗ୍ରାମରେ ଅନ୍ୟ ଏକ ରାସ୍ତା କାମ ହୋଇ ନ ଥିବାରୁ ଲୋକେ କାଦୁଅରେ ପଶି ଯାତାୟାତ କରୁଥିବା ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଛି। ପ୍ରକାଶ ଯେ, ବାଚ୍ଛୋଳ ପଞ୍ଚାୟତ ବାମଦେବପୁର ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାଟି ଦୀର୍ଘ ଦିନହେଲା କଚ୍ଚା ଥିଲାବେଳେ ବର୍ଷା ଦିନରେ ଏହି ରାସ୍ତାଦେଇ ଯିବାଆସିବା କଷ୍ଟକର ହେଉଛି। ଏହି ରାସ୍ତା ଉପରେ ୨୫ ପରିବାର ନିର୍ଭର କରୁଥିବା ବେଳେ ସରପଞ୍ଚଙ୍କଠାରୁ ବ୍ଲକ ପ୍ରଶାସନ ନିକଟରେ ଗ୍ରାମବାସୀ ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ମାତ୍ର ସେହି ଗ୍ରାମରେ ଅନ୍ୟଏକ ରାସ୍ତା ଭଲ ଥିଲାବେଳେ ସେ ରାସ୍ତାରେ ଢଳେଇ ଉପରେ ଢଳେଇ ୩ଥର ହୋଇଥିବା ଦୀପ୍ତିରଞ୍ଜନ ମୁଦୁଲି, ଓମପ୍ରିୟମ୍‌ ପଣ୍ଡା, ନିରାକାର ରଣା, ତପନ ପଣ୍ଡାଙ୍କ ସମେତ ଗ୍ରାମବାସୀ ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ରାସ୍ତା ନିର୍ମାଣକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଅମୂଲ୍ୟ ତ୍ରିପାଠୀଙ୍କୁ ପଚାରିବାରୁ ଗ୍ରାମବାସୀଙ୍କ ନିଷ୍ପତ୍ତି ଅନୁଯାୟୀ ଢଳେଇ ଉପରେ ଢଳେଇ ହୋଇଥିବା କହିଛନ୍ତି।