କେପ୍ ଟାଉନ୍,୭ା୫:ଆଫ୍ରିକାର ପଶ୍ଚିମ ଉପକୂଳରେ ଏକ ବିଳାସପୂର୍ଣ୍ଣ କ୍ରୁଜ୍ ଜାହାଜରେ ହାନ୍ତା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇ ୩ ଯାତ୍ରୀଙ୍କ ମୃତ୍ୟୁ ଏବଂ ୫ରୁ ଅଧିକ ଯାତ୍ରୀ ପୀଡ଼ିତ ହେବା ଘଟଣା ଏବେ ବୈଶ୍ୱିକ ସ୍ତରରେ ଉଦ୍ବେଗ ସୃଷ୍ଟି କରିଛି। ଆକ୍ରାନ୍ତ ଯାତ୍ରୀଙ୍କ ମଧ୍ୟରେ ଉକ୍ତ କ୍ରୁଜ୍ ଜାହାଜର ଡାକ୍ତର ରହିଥିବାରୁ ଏହା ଅଧିକ ଚିନ୍ତାଜନକ ହୋଇଛି। ଏହି ଭାଇରସ୍ରେ ଆକ୍ରାନ୍ତ ଜଣେ ବ୍ରିଟିଶ ନାଗରିକଙ୍କ ସମେତ ଅନ୍ୟ ୪ ଜଣଙ୍କୁ ଜୋହାନ୍ସବର୍ଗ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଏହି ଖବର ସାମ୍ନାକୁ ଆସିବା ପରେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ପକ୍ଷରୁ ହାନ୍ତା ଭାଇରସ୍କୁ ନେଇ ଚିନ୍ତା ନ କରିବାକୁ କୁହାଯାଇଛି। ଏହି ଭାଇରସ୍ ମଣିଷଠାରୁ ଅନ୍ୟକୁ ସଂକ୍ରମିତ ହୋଇ ନ ଥାଏ, କେବଳ ବିଭିନ୍ନ ପ୍ରଜାତିର ମୂଷାଙ୍କ ଦ୍ୱାରା ଏହା ମଣିଷଙ୍କୁ ଆକ୍ରାନ୍ତ କରିଥାଏ ବୋଲି ଡବ୍ଲ୍ୟୁଏଚ୍ଓ କହିଛି। କିନ୍ତୁ ଏହାମଧ୍ୟରେ ସ୍ବିଜରଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକାର ବିଶେଷଜ୍ଞମାନେ ହାନ୍ତା ଭାଇରସ୍ର ଏକ ଉପ ପ୍ରଜାତି(ଷ୍ଟ୍ରେନ୍)ର ଭାଇରସ୍ ଚିହ୍ନଟ କରିଛନ୍ତି, ଯାହା ମଣିଷଠାରୁ ଅନ୍ୟ ମଣିଷକୁ ସଂକ୍ରମିତ ହୋଇପାରେ ବୋଲି ସେମାନେ କହିଛନ୍ତି। ଏହି ଜାହାଜର ଜଣେ ସ୍ବିଜ୍ ଯାତ୍ରୀ ଆକ୍ରାନ୍ତ ହେବା ପରେ ଏହି ବିଷୟ ସାମ୍ନାକୁ ଆସିଛି। ଫଳରେ ହାନ୍ତା ଭାଇରସ୍କୁ ନେଇ ବିଭିନ୍ନ ମହଲରେ ଚିନ୍ତା ଦ୍ୱିଗୁଣିତ ହୋଇଛି। ବର୍ତ୍ତମାନ ଏହି ଜାହାଜର ଯାତ୍ରୀମାନଙ୍କୁ ଅନ୍ୟତ୍ର ଯିବାକୁ ଅନୁମତି ଦିଆଯାଉ ନାହିଁ। ଏପ୍ରିଲ ୧ରୁ ଆର୍ଜେଣ୍ଟିନାରୁ ବାହାରିଥିବା ଏହି କ୍ରୁଜ୍ ଜାହାଜଟି ଆଣ୍ଟାର୍କଟିକାର ଫାଲକା ଦ୍ୱୀପପୁଞ୍ଜକୁ ଯିବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ଏହି ଘଟଣାକୁ ନେଇ ଜାହାଜର ଯାତ୍ରା କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇ ବର୍ତ୍ତମାନ ଏହାକୁ ସ୍ପେନ୍ର କାନାରୀ ଦ୍ୱୀପ ଅଭିମୁଖେ ନେବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ସାମ୍ପ୍ରତିକ ସ୍ଥିତି ଉପରେ ନଜର ରଖାଯାଇ ଯାତ୍ରୀଙ୍କ ସୁରକ୍ଷା ଏବଂ ସ୍ବାସ୍ଥ୍ୟକୁ ଗୁରୁତ୍ୱ ଦିଆଯାଇଛି ବୋଲି ଡବ୍ଲ୍ୟୁଏଚ୍ଓ ମୁଖ୍ୟ ଟେଡ୍ରୋସ୍ ଏ. ଘେବ୍ରିସିଏସ୍ କହିଛନ୍ତି। ବର୍ତ୍ତମାନ ସ୍ଥିତିରେ ହାନ୍ତା ଭାଇରସ୍କୁ ନେଇ ସାଧାରଣରେ କୌଣସି ଭୟ କରିବା ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି। ସ୍ପେନ୍ର କାନାରୀ ଦ୍ୱୀପରେ ଏହି ଜାହାଜ ପହଞ୍ଚିବା ପରେ ସେଠାରେ ୟୁରୋପିଆନ ସେଣ୍ଟର ଫର୍ ଡିଜିଜ୍ ପ୍ରିଭେନଶନ୍ ଆଣ୍ଡ କଣ୍ଟ୍ରୋଲ ପକ୍ଷରୁ ଯାତ୍ରୀମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଡବ୍ଲ୍ୟୁଏଚ୍ଓ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ସଂକ୍ରମିତ ମୂଷା ସଂସ୍ପର୍ଶରେ ଆସିବାର ପ୍ରାୟ ୧ରୁ ୮ ସପ୍ତାହ ମଧ୍ୟରେ ଲକ୍ଷଣ ଆରମ୍ଭ ହୁଏ, ଯାହା ଭୂତାଣୁର ପ୍ରକାର ଉପରେ ନିର୍ଭର କରେ ଏବଂ ସାଧାରଣତଃ ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଓ ପେଟ ଯନ୍ତ୍ରଣା, ବାନ୍ତି କିମ୍ବା ବାନ୍ତି ଭଳି ଅବସ୍ଥା ଦେଖାଦିଏ। ଏଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
ପ୍ରତିରୋଧ ବ୍ୟବସ୍ଥା ଭାବେ ମୂଷାଠାରୁ ଦୂରେଇ ରୁହନ୍ତୁ, ମୂଷା-ଉପଦ୍ରୁତ ଅଞ୍ଚଳ (ଯେପରିକି ପୁରୁଣା ଗୋଦାମ କିମ୍ବା ଘର) ସଫା କରିବା ସମୟରେ ମାସ୍କ ଏବଂ ଗ୍ଲୋଭ୍ସ ବ୍ୟବହାର କରନ୍ତୁ। ଯଦିଓ ଏହି ରୋଗର ଉପଚାର ପାଇଁ ନିର୍ଦ୍ଦିଷ୍ଟ ଚିକିତ୍ସା ବ୍ୟବସ୍ଥା ନାହିଁ ତେଣୁ ସତର୍କ ରହିବା ସହ ସ୍ବଚ୍ଛତାକୁ ଗୁରୁତ୍ୱ ଦେବା ଲାଗି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପରାମର୍ଶ ଦେଇଛି।