ପାଣି ଚିନ୍ତାରେ କନ୍ଧପଡ଼ାବାସୀ

ଢେଙ୍କାନାଳ ଅଫିସ, ୧୪।୧୨ ଢେଙ୍କାନାଳ ସଦର ବ୍ଲକ ଶୁଆଖାଇକାଟେଣୀ ପଞ୍ଚାୟତର କନ୍ଧପଡ଼ା ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି। ଗ୍ରାମରେ ଖୋଳାଯାଇଥିବା ବୋରୱେଲଟି ଅଚଳ ହୋଇପଡିଥିବାରୁ ୨ ମାସ ହେଲା ପିଇବା ପାଣି ଆସୁନି। ଗ୍ରାମବାସୀ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗକୁ ଜଣାଇବା ସତ୍ତ୍ୱେ କୌଣସି ପଦକ୍ଷେପ ଗ୍ରହଣ ନିଆଯାଉନାହିଁ। ସବୁଆଡୁ ନିରାଶ ହେବା ପରେ ଗ୍ରାମର ମହିଳାମାନେ ସୋମବାର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗ ଅନୁଯାୟୀ, ଗ୍ରାମର ଲୋକସଂଖ୍ୟା ୭୦୦ରୁ ଅଧିକ। ଅଞ୍ଚଳବାସୀଙ୍କ ଜଳକଷ୍ଟ ଦୂର କରିବାକୁ ୫ ବର୍ଷ ତଳେ ଏକ ବୋରୱେଲ ଖୋଳାଯାଇଥିଲା। ନିମ୍ନମାନର ମୋଟର ପମ୍ପ ଲାଗିଥିବା ବେଳେ ୧୫ଦିନରେ ଖରାପ ହୋଇଯାଉଛି। ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ଜଣାଇବା ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଉନାହିଁ। ଉଚ୍ଚ କ୍ଷମତାସମ୍ପନ୍ନ ମୋଟର ଲଗାଇଲେ ଜଳକଷ୍ଟ ଦୂର ହୋଇପାରିବ ବୋଲି ସୁଭଦ୍ରା ବେହେରା, ଗୌରୀ ବେହେରା, ଉପମା ବେହେରା, ମୀନାକ୍ଷୀ ବେହେରା, ଯସ୍ମିନ ବେହେରା, ଅମୃତି ବେହେରା, ଅଶାନ୍ତି ବେହେରା, କେତନ ସାହୁ, ହଟ୍ଟକିଶୋର ସାହୁ, ସୁଦର୍ଶନ ବେହେରା, କୈଳାସଚନ୍ଦ୍ର ବେହେରା ପ୍ରମୁଖ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ନିର୍ବାହୀଯନ୍ତ୍ରୀ ସୁରେନ୍ଦ୍ର କୁମାର ବେହେରା କୁହନ୍ତି, ଗ୍ରାମ ବିକାଶ ପକ୍ଷରୁ କନ୍ଧପଡ଼ାରେ ବୋରୱେଲ ଖୋଳାଯାଇଥିଲା। ମୋଟର ପମ୍ପ ବାରମ୍ବାର ଖରାପ ହେଉଛି। ମଙ୍ଗଳବାର ୧ଏଚ୍‌ପିର ଏକ ମୋଟର ପମ୍ପ ଲଗାଯିବ। ସମସ୍ୟା ସମାଧାନ ନ ହେଲେ ଏହାକୁ ବଦଳାଯିବ।