ସ୍ବାମୀଙ୍କ ଘର ଆଗରେ ସ୍ତ୍ରୀଙ୍କ ଧାରଣା

ବ୍ରହ୍ମପୁର ଅଫିସ,୨୩ା୯: ଅଧିକ ଯୌତୁକ ଦାବି ନେଇ ଜଣେ ରେଲଓ୍ବେ କର୍ମଚାରୀ ତାଙ୍କ ସ୍ତ୍ରୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ଏନେଇ ସରକାରୀ ରେଳବାଇ ଥାନାରେ ଏକ ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଅନ୍ୟପକ୍ଷେ ସ୍ତ୍ରୀ ସ୍ବପ୍ନା ନାୟକ ସ୍ବାମୀଙ୍କ ସହିତ ରହିବା ପାଇଁ ତାଙ୍କ ସରକାରୀ ବାସଭବନ ବ୍ରହ୍ମପୁର ରେଳବାଇ କ୍ୱାଟର୍ସ ସମ୍ମୁଖରେ ଧାରଣାରେ ବସିଛନ୍ତି। ନ୍ୟାୟ ନ ମିଳିବା ଯାଏ ସେ ଧାରଣାରେ ବସିବେ ବୋଲି କହିଛନ୍ତି। ସ୍ବପ୍ନାଙ୍କ ସହିତ ଧାରଣାସ୍ଥଳରେ ସମାଜସେବୀ ପ୍ରମିଳା ତ୍ରିପାଠୀ ମଧ୍ୟ ରହିଛନ୍ତି।

୨୦୧୨ ଜାନୁୟାରୀ ୧୮ରେ ସ୍ବପ୍ନା ବୁଗୁଡା ଥାନା ଅଧୀନ କରଡ଼ାବାଡ଼ି ଗ୍ରାମର କାହ୍ନୁ ଚରଣ ନାୟକଙ୍କୁ ବିବାହ କରିଥିଲେ। ତାଙ୍କର ୨ଟି ସନ୍ତାନ ଅଛନ୍ତି। ଅଧିକ ଯୌତୁକ ଦାବିରେ ସ୍ବପ୍ନାଙ୍କୁ ସ୍ବାମୀ, ନଣନ୍ଦ, ନଣନ୍ଦେଇ, ଭଣଜା ମିଶି ଅଧିକ ଯୌତୁକ ଆଣିବାକୁ ଚାପ ପକାଉଥିଲେ। ଏପରିକି ୨୦୧୮ରେ ସେମାନେ ଘରୁ ତଡି ଦେବାରୁ ସ୍ବପ୍ନା ଆସି ବାପ ଘରେ ରହୁଛନ୍ତି। ନ୍ୟାୟ ଦାବିରେ ଶୁକ୍ରବାର ଜିଆର୍‌ପି ଥାନାରେ ଅଭିଯୋଗ କରିଛନ୍ତି। ଏ ନେଇ ଏକ ମାମଲା(ନଂ.୭୨/୨୨) ରୁଜୁ ହୋଇଛି।