ବ୍ଲକ କାର୍ଯ୍ୟାଳୟ ଆଗରେ ଭଞ୍ଜସେନାର ଧାରଣା

ମୋରଡା,୧।୮(ସ୍ମାରକ ମାଜୀ): ମୟୁରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାର୍ଯ୍ୟାଳୟ ଆଗରେ ଶୁକ୍ରବାର ଭଞ୍ଜସେନା ପକ୍ଷରୁ ଧାରଣା ଦିଆଯିବ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଗଠନର ପ୍ରତିଷ୍ଠାତା କଳିଙ୍ଗକେଶରୀ ଜେନାଙ୍କ ଆହ୍ବାନ କ୍ରମେ ତଥା ଜିଲା କାର୍ଯ୍ୟକାରୀ ଅଧ୍ୟକ୍ଷ ସଞ୍ଜୀବ ରାଉତଙ୍କ ନେତୃତ୍ୱରେ ହଜାର ହଜାର ଭଞ୍ଜସେନା ସ୍ଥାନୀୟ ମହାବିଲା ଛକରୁ ଏକ ବାଇକ୍‌ ରାଲିରେ ବାହାରି ବ୍ଲକ କାର୍ଯ୍ୟାଳୟ ଆଗରେ ପହଞ୍ଚି ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କୁ ସୁଲଭ ମୂଲ୍ୟରେ ବାଲି ଯୋଗାଣ ସହ ଗୃହ ନିର୍ମାଣ ଅବଧିକୁ ବୃଦ୍ଧି କରିବା, ହାତୀଙ୍କ ଦ୍ୱାରା ବାସଗୃହ ହରାଉଥିବା ପରିବାର ଲୋକଙ୍କୁ ନୂତନ ଗୃହ ଯୋଗାଇବା, ହାତୀ ଆକ୍ରମଣରେ ମୃତ ବ୍ୟକ୍ତିଙ୍କ ପରିବାରକୁ ୧୫ ଦିନ ମଧ୍ୟରେ ସହାୟତା ପ୍ରଦାନ, ଭତ୍ତା ହିତାଧିକାରୀଙ୍କ ରାଶିକୁ ଦୁଇ ହଜାର ଟଙ୍କା ବୃଦ୍ଧି, ଆବଶ୍ୟକୀୟ ଡାକ୍ତର ନିଯୁକ୍ତି, ଶୁଳିଆପଦା ବ୍ଲକରେ ଏକ ସରକାରୀ କାଗଜ କଳ ପ୍ରତିଷ୍ଠା, ସୁବର୍ଣ୍ଣରେଖା ଜଳ ପ୍ରକଳ୍ପ ଦ୍ୱାରା ଚାଷଜମିକୁ ପାଣି ଯୋଗାଇବା, ପଞ୍ଚାୟତସ୍ତରରେ ଥିବା ଗୋଚର, ସରକାରୀ, ପତିତ, ଦେବୋତ୍ତର ଜମି ବିବାଦର ସମାଧାନ, ଅଘୋଷିତ ବିଦ୍ୟୁତ୍‌ କାଟ ବନ୍ଦ କରିବା ସହ ବିଦ୍ୟୁତ୍‌ ଶୁକ୍ଳକୁ ହ୍ରାସ କରିବା, ଦେଉଳି ଡ୍ୟାମ୍‌କୁ ଇକୋ ଟୁରିଜିମ୍‌ ମାଧ୍ୟମରେ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ କରିବାକୁ ଭଞ୍ଜସେନା ପକ୍ଷରୁ ଦାବି କରାଯାଇଛି। ଏଥିରେ ଭଞ୍ଜସେନାର ଶୁଳିଆପଦା ବ୍ଲକ ଶାଖା ସଭାପତି ସୁକୁମାର ଦାସ, ଜିଲା ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା, ମୋରଡ଼ା ବ୍ଲକ ସଭାପତି ପରିତୋଷ ବାରିକ, ତପନ ସିଂ, ବବୁଲୁ ସୋରେନ, ବ୍ଲକ ଆଦିବାସୀ ଶାଖା ସଭାପତି ସୁକୁଲ ସୋରେନ, ଆଲୋକ ବେହେରା, ଲୋକନାଥ ବେହେରା ପ୍ରମୁଖଙ୍କ ସହିତ ଶତାଧିକ କର୍ମୀ ଉପସ୍ଥିତ ଥିଲେ।