ଜିଆର୍‌ଏସ୍‌ଙ୍କୁ ମାଡ଼ ପ୍ରତିବାଦ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

କେନ୍ଦୁଝର,୨୧ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ବ୍ଲକ ଅଧୀନ ବାଉରୀପଦା ପଞ୍ଚାୟତ ଗ୍ରାମ ରୋଜଗାର ସେବକ(ଜିଆର୍‌ଏସ୍‌)ଙ୍କୁ ମାଡ଼ ପ୍ରତିବାଦରେ ମଙ୍ଗଳବାର ସଦର ବ୍ଲକର ସମସ୍ତ ଜିଆର୍‌ଏସ୍‌ ଧାରଣାରେ ବସିଛନ୍ତି।

ଏହି ପରିପ୍ରେକ୍ଷୀରେ ହାଟଡିହି, ଘଷିପୁରା ଏବଂ ଝୁମ୍ପୁରା ବ୍ଲକର ଜିଆର୍‌ଏସ୍‌ ସଂଘ ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏପରିକି ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି।

୨୨ତାରିଖ ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରା ନ ଗଲେ ଆସନ୍ତା ୨୩ ତାରିଖରୁ ଜିଲା ସଂଘର ଆହ୍ବାନ କ୍ରମେ ସମସ୍ତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଜିଆର୍‌ଏସ୍‌ ସଂଘ ଜିଲା ସଭାପତି ଦେବାଶିଷ ରାଉତ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ଗିରଫ କରିବା ଓ ସୁରକ୍ଷା ଦାବିରେ ଗ୍ରାମ ରୋଜଗାର ସେବକ ସଦର ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ପୂର୍ବରୁ ଏ ନେଇ ଜିଲା ଆରକ୍ଷୀ ଅଧୀକ୍ଷକ, ମୁଖ୍ୟ ଉନ୍ନୟନ ଅଧିକାରୀୟ, ଜିଲା ପରିଷଦ, କେନ୍ଦୁଝରଙ୍କୁ ଏହାର କପି ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ, ଗତ ୧୫ ତାରିଖରେ ବାଉରୀପଦା ପଞ୍ଚାୟତ କାର୍ଯ୍ୟାଳୟରେ ସ୍ବତନ୍ତ୍ର ଗ୍ରାମସଭା ଚାଲିଥିବା ବେଳେ ଜଣେ ଯୁବକ ଜିଆର୍‌ଏସ୍‌ ସୋମନାଥ ମହାନ୍ତଙ୍କୁ ଆକ୍ରମଣ କରିଥିଲେ। ଏପରିକି ଅଭିଯୁକ୍ତ ଜଣକ ତାଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ଏ ନେଇ ସଦର ଥାନାରେ ଅଭିଯୋଗ ପରେ ପୋଲିସ ଏକ ମାମଲା (ନଂ.୨୬୯/23) ରୁଜୁ କରିଛି।