ରାସ୍ତା ମରାମତି ନ ହେଲେ ଧାରଣା

ଭଦ୍ରକ ଅଫିସ, ୧୦ା୧୦: ଭଦ୍ରକ ସଦର ବ୍ଲକର ଚାରିତିରା-କାଜିପୋଖରୀ ଓ ବରପଦା ପଖିଆଗୁଡ଼ି ହନୁମାନ ଛକଠାରୁ ମିଟୁଆଣି ପର୍ଯ୍ୟନ୍ତ ବିପର୍ଯ୍ୟସ୍ତ ରାସ୍ତାର ମରାମତି ଦାବିରେ ଆସନ୍ତା ଅକ୍ଟୋବର ୧୯ ତାରିଖରେ ଭଦ୍ରକ-ଆନନ୍ଦପୁର ରାସ୍ତାର ବରପଦା ଛକରେ ଧାରଣା ଦେବାକୁ ସମ୍ପୃକ୍ତ ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି। ଏନେଇ ସୋମବାର ଭଦ୍ରକ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଏହି ରାସ୍ତା ସମସ୍ୟା ନେଇ ପୂର୍ବରୁ ଏକାଧିକବାର ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇବା ପରେ ଭଦ୍ରକ ଗ୍ରାମାଞ୍ଚଳ ଥାନାଧିକାରୀ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ, ଭଦ୍ରକ ବିଡିଓ, ବନ୍ତ ତହସିଲଦାର, ସହକାରୀ ଯନ୍ତ୍ରୀ ରାସ୍ତାର ଦୁରାବସ୍ଥା ପରିଦର୍ଶନ କରି ୭ ଦିନ ଭିତରେ ରାସ୍ତା ମରାମତି କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ବନ୍ତ ବ୍ଲକ ରାମକୃଷ୍ଣପୁର ରାମପୁର ପଞ୍ଚାୟତର ଚାରିତିରା ଓ କାଜିପୋଖରୀ ଗ୍ରାମ୍ୟ ରାସ୍ତାକୁ ଯାତାୟାତ ଉପଯୋଗୀ ମରାମତି କରାଯାଇଛି। କିନ୍ତୁ ଭଦ୍ରକ ବ୍ଲକ ଅଧୀନରେ ଥିବା ବରପଦା ହନୁମାନ ଛକଠାରୁ ଚାରିତିରା ଓ କାଜିପୋଖରୀ ସଂଯୁକ୍ତ ରାସ୍ତା ଆଦୌ ମରାମତି କରାଯାଇନାହିଁ। ଦୀର୍ଘ ୧୫ ବର୍ଷ ଧରି ଏହି ରାସ୍ତା ମରାମତି ହୋଇ ନ ଥିବାରୁ ଏହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।