ଆଇନଶୂନ୍ୟ ଦେଶଗୁଡ଼ିକର ମନମୁଖି ଶାସନ ପ୍ରତି ଲୋକମାନଙ୍କ ମନରେ ଗଭୀର ଆତଙ୍କ ରହିଥାଏ। ଏଥିରେ ନିଷ୍ଠୁରତାକୁ ଏକ ପ୍ରକ୍ରିୟା ଭାବରେ ଦର୍ଶାଯାଇ ଲୋକଙ୍କୁ ନିର୍ଯାତନା ଦିଆଯାଇଥାଏ। ଏବେ ଦେଶରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ଫର୍ମ ବଣ୍ଟାଯାଉଛି। ପାଠକ ଯେତେ ଶିକ୍ଷିତ ହୋଇଥିଲେ ମଧ୍ୟ ଏହି ଗୋଟିଏ ପୃଷ୍ଠାର ଫର୍ମକୁ ପ୍ରଥମ ଥର ପଢ଼ିବା ପରେ କ’ଣ କରିବାକୁ ହେବ ତାହା ଜଣେ ବୁଝିବା ଅସମ୍ଭବ। ଆମକୁ କୁହାଯାଉଛି ଯେ ଏହି ପ୍ରକ୍ରିୟା କେବଳ ଯୁକ୍ତିଯୁକ୍ତ ନୁହେଁ ବରଂ ବାଧ୍ୟତାମୂଳକ ଏବଂ ଆବଶ୍ୟକ ମଧ୍ୟ। ଅବଶ୍ୟ, ଆମେ ପୂର୍ୱରୁ ଏହି ରାସ୍ତା ଦେଇ ଗତି କରିଛୁ। ୧୯୯୮ରେ, ଆସାମର ପୂର୍ୱତନ ରାଜ୍ୟପାଳ ଏସ୍.କେ. ସିହ୍ନା ତତ୍କାଳୀନ ରାଷ୍ଟ୍ରପତି କେ.ଆର୍. ନାରାୟଣନଙ୍କୁ ଏକ ଚିଠି ପଠାଇଥିଲେ। ସେଥିରେ ସେ ଉଲ୍ଲେଖ କରିଥିଲେ,”ବିଗତ କେତେକ ଦଶନ୍ଧି ଧରି ପୂର୍ୱ ପାକିସ୍ତାନ/ବାଂଲାଦେଶରୁ ହୋଇଥିବା ବ୍ୟାପକ ବେଆଇନ ଅନୁପ୍ରବେଶ ଆସାମର ଜନସଂଖ୍ୟାଗତ ସ୍ଥିତିକୁ ବଦଳାଇ ଦେଇଛି। ଏହା ଆସାମ ଲୋକଙ୍କର ପରିଚୟ ଏବଂ ଜାତୀୟ ସୁରକ୍ଷା ପ୍ରତି ବଡ଼ ବିପଦ।“ ସିହ୍ନା ଦାବି କରିଥିଲେ ଯେ, ଦୀର୍ଘଦିନ ଧରି ବଢ଼ୁଥିବା ଏହି ବିପଦକୁ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ଆବଶ୍ୟକ। ଯଦି ଏହାକୁ ରୋକା ନ ଯାଏ, ତେବେ (ବାଂଲାଦେଶୀମାନେ) ଅସମୀୟାଙ୍କୁ ଟପିଯାଇ ଉତ୍ତର-ପୂର୍ୱ ଭାରତକୁ ଅନ୍ୟ ଅଂଶରୁ ବିଚ୍ଛିନ୍ନ କରିଦେଇପାରନ୍ତି। ଏହାର ପରିଣାମ ସାମରିକ ଏବଂ ଅର୍ଥନୀତି ଦୃଷ୍ଟିରୁ ବିପର୍ଯ୍ୟୟକାରୀ ହେବ। ସିହ୍ନା ସ୍ୱୀକାର କରିଥିଲେ ଯେ, କୌଣସି ତଥ୍ୟ ଆଧାରରେ ସେ ଏହି ଆକଳନ କରିନାହାନ୍ତି। ସେ ଆହୁରି ଲେଖିଥିଲେ, ଦୁର୍ଭାଗ୍ୟବଶତଃ ଆଜି ଆମ ପାଖରେ ଏମିତି କୌଣସି ଜନଗଣନା ରିପୋର୍ଟ ନାହିଁ; ଯାହା ଆଧାରରେ ସୀମାପାର ଅନୁପ୍ରବେଶର ପ୍ରକୃତ ଚିତ୍ରକୁ ଠିକ୍ ଭାବେ ବୁଝିହେବ। କହିବାକୁ ଗଲେ, ଏହି ତତ୍ତ୍ୱକୁ ପ୍ରମାଣ କରିବା ପାଇଁ ସିହ୍ନାଙ୍କ ପାଖରେ କୌଣସି ପ୍ରମାଣ ନ ଥିଲା, କିନ୍ତୁ ଏହାକୁ ନେଇ ସେ ଏତେ ଦୃଢ଼ବିଶ୍ୱାସୀ ଥିଲେ ଯେ, ସରକାରୀ ଭାବେ ରାଷ୍ଟ୍ରପତିଙ୍କ ନିକଟରେ ବି ଉଠାଇଥିଲେ। ୨୦୦୫ରେ ସର୍ୱାନନ୍ଦ ସୋନୋୱାଲ (ପରେ ଆସାମର ଭାଜପା ମୁଖ୍ୟମନ୍ତ୍ରୀ ହୋଇଥିଲେ) ସୁପ୍ରିମକୋର୍ଟକୁ ଯାଇ ଆସାମରେ ବିଦେଶୀ ବୋଲି ସନ୍ଦେହ କରାଯାଉଥିବା ଲୋକଙ୍କ ପରିଚୟ ସମ୍ୱନ୍ଧୀୟ ଆଇନକୁ କଠୋର କରିବାକୁ ଦାବି କରିଥିଲେ। ସୁପ୍ରିମକୋର୍ଟ ଏହି ମାମଲାରେ ଏସ୍.କେ. ସିହ୍ନାଙ୍କ ଆନୁମାନିକ ଟିପ୍ପଣୀକୁ ଆଧାର କରି ଏହି ନିଷ୍କର୍ଷରେ ପହଞ୍ଚିଥିଲେ ଯେ, ଆସାମ ‘ବାହ୍ୟ ଆକ୍ରମଣ’ର ସମ୍ମୁଖୀନ ହେଉଛି, ଯାହା ସାମ୍ୱିଧାନିକ ବ୍ୟବସ୍ଥାକୁ ବିପଦରେ ପକାଉଛି। ନ୍ୟାୟପାଳିକା ଆସାମର ବାସିନ୍ଦାମାନଙ୍କ ଉପରେ ନିଜେ ବିଦେଶୀ ନୁହନ୍ତି ବୋଲି ପ୍ରମାଣ କରିବାର ଦାୟିତ୍ୱ (ବଡର୍ନ ଅଫ୍ ପ୍ରୁଫ୍) ଲଦିଦେଇଥିଲେ। ୧୯୭୧ ପରେ ଜନ୍ମିତ ଲୋକ ସେମାନଙ୍କ ମାତାପିତା, ଜେଜେମାଆ/ଜେଜେବାପା ବିଦେଶୀ ନ ଥିଲେ ବୋଲି ପ୍ରମାଣ ଦେବାକୁ ନ୍ୟାୟପାଳିକା ଆସାମବାସୀଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିଥିଲା। ନିଜକୁ ନିର୍ଦ୍ଦୋଷ ପ୍ରମାଣ ନ କରିବା ପର୍ଯ୍ୟନ୍ତ ସମସ୍ତଙ୍କୁ ଦୋଷୀ ବୋଲି ଧରାଗଲା। ବଡର୍ନ ଅଫ୍ ପ୍ରୁଫ୍କୁ ନାଗରିକଙ୍କ ଉପରେ ଲଦିଦେବା ହେଉଛି ନିଷ୍ଠୁରତା; ଯାହା କି କାହାକୁ ମୁକ୍ତ କରାଯିବ କିମ୍ୱା ଜେଲ ପଠାଯିବ ତାହା ବିଦେଶୀଙ୍କ ପାଇଁ ଗଠନ କରାଯାଇଥିବା ଟ୍ରିବ୍ୟୁନାଲ ନିର୍ଣ୍ଣୟ କରୁଥିଲା। ଯେଉଁଥିରେ ମାତ୍ର ଚାରିଦିନର ପ୍ରଶିକ୍ଷଣ ପାଇଥିବା ଆଡ୍ଭୋକେଟ୍ ଏବଂ ଅବସରପ୍ରାପ୍ତ ସିଭିଲ୍ ସର୍ଭାଣ୍ଟଙ୍କୁ ନିଯୁକ୍ତ କରାଯାଇଥିଲା। ସେମାନଙ୍କ ସାମ୍ନାରେ ଲୋକଙ୍କୁ ନିଜ ନାଗରିକତା ପ୍ରମାଣ କରିବାକୁ ପଡ଼ୁଥିଲା। ଯେଉଁ ସଦସ୍ୟମାନେ କମ୍ ଲୋକଙ୍କୁ ବିଦେଶୀ ଘୋଷଣା କରୁଥିଲେ, ସେମାନଙ୍କର ଚୁକ୍ତି ବଢ଼ାଯାଉ ନ ଥିଲା। କିଛି କାରଣ ନ ଥାଇ ଯେଉଁ ଟ୍ରିବ୍ୟୁନାଲ ସଦସ୍ୟଙ୍କୁ ଚାକିରିରୁ ବାହାର କରିଦିଆଯାଇଥିଲା ସେମାନେ ଯେତେବେଳେ ଗୁଆହାଟୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ, ସେତେବେଳେ ସରକାର ଦାଖଲ କରିଥିବା ଏକ ସତ୍ୟପାଠରୁ ଏହି ତଥ୍ୟ ସାମ୍ନାକୁ ଆସିଥିଲା। ସରକାର କହିଥିଲେ, ଏହା ସତ୍ୟ ନୁହେଁ ଏବଂ ଦାବି କରିଥିଲେ ଯେ ସମସ୍ତ ଟ୍ରିବ୍ୟୁନାଲ ସଦସ୍ୟଙ୍କର କାର୍ଯ୍ୟଦକ୍ଷତା ମୂଲ୍ୟାଙ୍କନ କରାଯାଇଛି। ୨୦୧୭ରେ ସରକାର ଏକ ତାଲିକା ଦାଖଲ କରିଥିଲେ। ଯେଉଁମାନେ ଟ୍ରିବ୍ୟୁନାଲକୁ ଆସୁଥିବା ମୋଟ ଲୋକଙ୍କ ସଂଖ୍ୟାର ୧୦ ପ୍ରତିଶତରୁ କମ୍ ଲୋକଙ୍କୁ ବିଦେଶୀ ଭାବରେ ଚିହ୍ନଟ କରିଥିଲେ, ସେମାନଙ୍କ କାର୍ଯ୍ୟକୁ ଅସନ୍ତୋଷଜନକ ବୋଲି ଧରାଯାଇ ସେମାନଙ୍କୁ ବରଖାସ୍ତ କରାଯାଇଥିବା ଏଥିରୁ ଜଣାପଡ଼ିଥିଲା। ଅର୍ଥାତ୍ ରାଜ୍ୟ ସରକାର ଟ୍ରିବ୍ୟୁନାଲ ଅଧିକାରୀଙ୍କୁ ଅଧିକ ଲୋକଙ୍କୁ ବିଦେଶୀ ଭାବେ ଚିହ୍ନଟ କରିବା ପାଇଁ ପ୍ରୋତ୍ସାହିତ କରୁଥିଲେ ଏବଂ ଯେଉଁ ଅଧିକାରୀମାନେ ତାହା କରୁ ନ ଥିଲେ ସେମାନଙ୍କୁ ଦଣ୍ଡିତ କରୁଥିଲେ।
ଏହି ସଙ୍କଟ ସେତେବେଳେ ଆହୁରି ଜଟିଳ ହେଲା, ଯେତେବେଳେ ଆସାମର ରଞ୍ଜନ ଗୋଗୋଇ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବରେ ନିଯୁକ୍ତ ହେଲେ। ଭାଜପା ଶାସନରେ ଥିବା ଏହି ରାଜ୍ୟ ପ୍ରଥମେ ଏକ ତାଲିକା ପ୍ରସ୍ତୁତ କଲା, ଯେଉଁଥିରୁ ୪୦ ଲକ୍ଷରୁ ଅଧିକ ଲୋକ ବାଦ୍ ପଡ଼ିଲେ ଏବଂ ପରେ ସେମାନଙ୍କର ଏକ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଗଲା; ଯେଉଁମାନେ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରୁଥିବା ନେଇ ସରକାର ସନ୍ତୁଷ୍ଟ ଥିଲେ। ଶେଷରେ ଅନ୍ତିମ ଜାତୀୟ ନାଗରିକ ପଞ୍ଜିକା(ଏନ୍ଆର୍ସି) ପ୍ରକାଶ କରାଗଲା। ଏହି ତାଲିକାରୁ ୧୯ ଲକ୍ଷ ଲୋକ ବାଦ୍ ପଡ଼ିଲେ, ଯେଉଁମାନଙ୍କୁ ଏବେ ନିଜର କାଗଜପତ୍ର ସହ ବିଦେଶୀ ଟ୍ରିବ୍ୟୁନାଲ ସମ୍ମୁଖରେ ଲାଇନରେ ଠିଆ ହେବାକୁ ପଡ଼ିବ ଏବଂ ନିଜର ନାଗରିକତ୍ୱ ପ୍ରମାଣ କରିବାକୁ ହେବ। ଏହି ୧୯ ଲକ୍ଷ ଲୋକଙ୍କ ମଧ୍ୟରୁ ଅଧିକାଂଶ ହିନ୍ଦୁ ବୋଲି ଜଣାପଡ଼ିଥିଲା। ଭାଜପା ଏସ୍.କେ. ସିହ୍ନାଙ୍କ ତତ୍ତ୍ୱକୁ ବିଶ୍ୱାସ କରିଥିଲା ଯେ ଆସାମ ବେଆଇନ ପ୍ରବାସୀମାନଙ୍କ ଦ୍ୱାରା ଭରିଯାଇଛି, କିନ୍ତୁ ଏହା ସପକ୍ଷରେ କୌଣସି ପ୍ରମାଣ ମିଳିଲା ନାହିଁ।
ଏହାପରେ ଭାଜପା ସରକାର ଆସାମର ସେହି ଏନ୍ଆର୍ସିକୁ ବାତିଲ କରିବାକୁ ନିଷ୍ପତ୍ତି ନେଲେ, ଯାହା ପାଇଁ ଦେଶର ବିପୁଳ ସମ୍ପଦ ବ୍ୟୟ ହୋଇଥିଲା ଏବଂ ସାଧାରଣ ଭାରତୀୟମାନଙ୍କୁ ବହୁ କଷ୍ଟ ସହିବାକୁ ପଡ଼ିଥିଲା। ଏବେ ଦେଶରେ ପୁଣି ଥରେ ସେହିଭଳି ଏକ ପ୍ରକ୍ରିୟାର ସମ୍ମୁଖୀନ ହେଉଛୁ। ପାଉଥିବା ସରକାରୀ ସୁବିଧା ସୁଯୋଗ ବାତିଲ ହେବା, ପାସ୍ପୋର୍ଟ ଅସ୍ୱୀକୃତ ହେବା ଏବଂ ଫର୍ମଗୁଡ଼ିକ ଅତ୍ୟନ୍ତ ଜଟିଳ ହେବା ଭଳି ଖବର ଆସିବା ଆରମ୍ଭ ହୋଇଗଲାଣି।