କାର୍ଯ୍ୟ ସମାପ୍ତି ତାରିଖ ଶେଷ, ସରିନି ନିର୍ମାଣ

ଭବାନୀପାଟଣା,୩୦।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ମୁଖ୍ୟାଳୟ ଭବାନୀପାଟଣାଠାରେ ଗତ ଦେଢବଷରୁ ଊର୍ଦ୍ଧ୍ୱ ଧରି ଚାଲିଥିବା ଆଦର୍ଶ ବସ୍‌ ଟର୍ମିନାଲ ନିର୍ମାଣ କାମ ବିଳମ୍ବିତ ହୋଇଛି। ଏହି ଟର୍ମିନାଲ ନିର୍ମାଣ କାର୍ଯ୍ୟର ଶେଷ (ସମାପ୍ତି) ତାରିଖ ଗତ ଜୁନ୍‌ ୩୦ ତାରିଖ ରହିଥିଲା। ହେଲେ ଏହି ତାରିଖ ସୁଦ୍ଧା ନିର୍ମାଣ କାମକୁ ନିର୍ମାଣକାରୀ ସଂସ୍ଥା ସମାପ୍ତି କରି ପାରି ନ ଥିବାବେଳେ ସେହି ଦିନଠୁ ବର୍ତ୍ତମାନ ୩ ମାସ ବିତିଯାଇଥିଲେ ମଧ୍ୟ ନିର୍ମାଣ କାମ ଶେଷ ହୋଇ ପାରୁନାହିଁ। ଏପରିକି ଶେଷ ହେବାକୁ ଆହୁରି କିଛି ମାସ ଲାଗିବ ବୋଲି ଜଣାପଡିଛି। ଫଳରେ ନୂତନ ବସ ଟର୍ମିନାଲ ବିଳମ୍ବିତକୁ ନେଇ ସ୍ଥାନୀୟ ଲୋକଙ୍କ ସମେତ ଯାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ବସ ଟର୍ମିନାଲକୁ ନିର୍ମାଣ କରିବା ପାଇଁ ଡି.କେ ଇଞ୍ଜିନିୟରିଂ ଆଣ୍ଡ କନଷ୍ଟ୍ରକଶନର ସୁମିତ ଜେନ୍‌ ପାଇଥିବାବେଳେ ଏଥିପାଇଁ ୧୩.୦୮ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ଫଳକୁ ଜଣାପଡୁଛି। ଗତ କିଛି ମାସ ତଳେ କଳାହାଣ୍ଡି ଗସ୍ତରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଆସି ଏହି ନିର୍ମାଣ ହେଉଥିବା ଏହ ବସ ଟର୍ମିନାଲ ପରିଦର୍ଶନ କରିଥିଲେ। ଏହାପରେ ମଧ୍ୟ କାର୍ଯ୍ୟର ଅଗ୍ରଗତି ନ ହେବା ସାଧାରଣରେ ଆଶ୍ଚର୍ଯ୍ୟର ବିଷୟ। ସେହିପରି ଏହି ଟର୍ମିନାଲର ତଦାରଖ ଦାୟିତ୍ୱ ପୂର୍ତ୍ତ ବିଭାଗକୁ ଦିଆଯାଇଥିବାବେଳେ ବିଭାଗ ପକ୍ଷରୁ ମଧ୍ୟ କାର୍ଯ୍ୟ ବିଳମ୍ବକୁ ନେଇ ନିର୍ମାଣ କାରୀ ସଂସ୍ଥା ଉପରେ କୌଣସି ପଦକ୍ଷେପ ନ ନେବା ସାଧାରଣରେ କ୍ଷୋଭର ବିଷୟ। ଏ ନେଇ କଳାହାଣ୍ଡି ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ ପ୍ରକାଶ କୁମାର ବେହେରାଙ୍କୁ ପଚାରିବାରୁ ଅକ୍ଟୋବର ଶେଷ ସୁଦ୍ଧା ଏହାର ନିର୍ମାଣ ସରିଜିବ। ଟର୍ମିନାଲର ସାମଗ୍ରୀ ବାହାରୁ ଆସୁଥିବା ଓ ବର୍ଷା ଯୋଗଁ ଟିକିଏ ବିଳମ୍ବିତ ହୋଇଛି ବୋଲି କହିଥିଲେ।