ନିମ୍ନମାନର ରାସ୍ତା ନେଇ ଜିଲାପାଳଙ୍କୁ ଅଭିଯୋଗ

ବଇଣ୍ଡା,୧୪।୧(ଡି.ଏନ.ଏ.) ଆଠମଲ୍ଲିକ ବ୍ଲକ କନ୍ତପଡା ପଞ୍ଚାୟତ ପିତାବଳିବାହାଳ ଛକଠାରୁ ବିପ୍ରଡିହ ପର୍ଯ୍ୟନ୍ତ ୧୨.୫୦ କି.ମି. ପିଚୁ ରାସ୍ତା ନିମ୍ନମାନର ହୋଇଥିବା ଗୁରୁବାର ତରଣ୍ଡା ଓ ବିପ୍ରଡିହ ଗ୍ରାମବାସୀ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସେମାନେ ଦର୍ଶାଇଛନ୍ତି, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୭ କୋଟି ୯୯ ଲକ୍ଷ ଟଙ୍କା ବ୍ୟୟରେ ଏହି ରାସ୍ତା ନିର୍ମାଣ କରାଯାଇଥିଲା। ଜଙ୍ଗଲ ବିଭାଗର ଅନୁମତି ମିଳି ନ ଥିବାରୁ ୩ କି.ମି.କୁ ଛାଡି ବାକି ୯.୫୦ କି.ମି. ରାସ୍ତା ପିଚୁ ହୋଇଥିଲା। ହେଲେ ବର୍ଷେ ନ ପୂରୁଣୁ ବହୁ ସ୍ଥାନରୁ ପିଚୁ ଉଠିଗଲାଣି। ବିଭାଗୀୟ ଅଧିକାରୀମାନେ ତଦାରଖ କରି ନ ଥିବା ଯୋଗୁ ରାସ୍ତା କାମ ଅତି ନିମ୍ନମାନର ହୋଇଛି। ତୁରନ୍ତ ଭିଜିଲାନ୍ସ ତଦନ୍ତ ସହ ନୂତନ ଭାବେ ପିଚୁ କରିବାକୁ ପୁଷ୍ପଲତା ପ୍ରଧାନ, ନିରୁପମା ବିଶ୍ୱାଳ, ରେବତୀ ପ୍ରଧାନ, ରଞ୍ଜିତା ନାୟକ, ଅରକ୍ଷିତ ନାୟକ, ବୈକୁଣ୍ଠ ପ୍ରଧାନ, ଲକ୍ଷ୍ମଣ ନାୟକ, ପ୍ରମୋଦ ସ୍ବାଇଁ, ଗୋପାଳ ନାୟକ ପ୍ରମୁଖ ଦାବି କରିଛନ୍ତି। ବିଭାଗୀୟ କନିଷ୍ଠଯନ୍ତ୍ରୀ ଆଶିଷ କୁମାର ମହାନ୍ତି କହିଛନ୍ତି, ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ।