ଓଏସ୍‌ଏସ୍‌ଟିଇଟି ପରୀକ୍ଷାରେ ତ୍ରୁଟି ଅଭିଯୋଗ

କଟକ ଅଫିସ, ୨।୧୦: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ କରାଯାଇଥିବା ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର ଏଲିଜିବିଲିଟି ଟେଷ୍ଟ (ଓଏସ୍‌ଏସ୍‌ଟିଇଟି)ରେ ତ୍ରୁଟି ହୋଇଥିବା ଛାତ୍ରୀଛାତ୍ରମାନେ ଅଭିଯୋଗ କରିଛନ୍ତି। ଏନେଇ ସେମାନେ ଏବିଭିପି ସହଯୋଗରେ ଶୁକ୍ରବାର ବୋର୍ଡ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ସେପ୍ଟେମ୍ବର ୧ ତାରିଖରେ ବୋର୍ଡ ପକ୍ଷରୁ ଓଏସ୍‌ଏସ୍‌ଟିଇଟି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟର ବିଏଡ୍‌ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀଛାତ୍ର ପରୀକ୍ଷା ହେଇଥିଲେ। ହେଲେ ସେମାନେ ଅଭିଯୋଗ କରିଛନ୍ତି, ପାଠ୍ୟକ୍ରମ ଅନୁଯାୟୀ ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇ ନ ଥିଲା। ୩୦ ମାର୍କ ଓଡ଼ିଆ ମଧ୍ୟରୁ ୧୫ ମାର୍କ ଓଡ଼ିଆ ଓ ୧୫ ମାର୍କର ଇଂଲିଶ ପ୍ରଶ୍ନ ରହିଥିଲା। ଏଥିଯୋଗୁ ଅନେକ ଛାତ୍ରୀଛାତ୍ର ଠିକ୍‌ରେ ଉତ୍ତର ଦେଇପାରି ନ ଥିଲେ। ଯେପରି ବୋର୍ଡ ତ୍ରୁଟି ପାଇଁ ସେମାନେ କଣ୍ଟ୍ରାକ୍‌ଚୁଆଲ ହାଇସ୍କୁଲ ଟିଚର ପରୀକ୍ଷାରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ବୋର୍ଡ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଛାତ୍ର ସଞ୍ଜୟ କୁମାର ସାହୁ କହିଛନ୍ତି। ତେବେ ଏନେଇ ବୋର୍ଡ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରୀୟା ମିଳିପାରିନାହିଁ ।