ଜବରଦଖଲ ଉଚ୍ଛେଦରେ ପାତରଅନ୍ତର ଅଭିଯୋଗ:ପ୍ରଶାସନ ନିର୍ଦ୍ଦେଶକୁ ଫୁ

ବାଉଁଶୁଣୀ,୧୩ା୩(ଡି.ଏନ.ଏ.):ବୌଦ୍ଧ ଜିଲା ବାଉଁଶୁଣୀ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ କ୍ଷେତ୍ରରେ ପାତରଅନ୍ତର କରାଯିବା ନେଇ ଅଭିଯୋଗ ହେଉଛି। ଗରିବ ଲୋକେ ପ୍ରଶାସନର ନିର୍ଦ୍ଦେଶକୁ ମାନୁଥିବା ବେଳେ ବଡବଡିଆ ଓ ପ୍ରଭାବଶାଳୀ ଲୋକେ ଏହାକୁ ଫୁ କଲା ଭଳି ଦେଖିବାକୁ ମିଳୁଛି ା
ପ୍ରକାଶ ଯେ, ବୌଦ୍ଧ ଜିଲାପାଳ ସତ୍ୟରଞ୍ଜନ ସାହୁ ଗତ ଅକ୍ଟୋବର ୧୭ ତାରିଖରେ ଗୋଟିଏ ସପ୍ତାହ ମଧ୍ୟରେ ବାଉଁଶୁଣୀରେ ଜବରଦଖଲ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟ ମଧ୍ୟରେ ଛୋଟ ଛୋଟ ଦୋକାନୀ ଏପରି କି ଚା ଆଉ ଫଳ ଦୋକାନ କରି ପରିବାର ଚଳାଉଥିବା ବ୍ୟବସାୟୀମାନେ ଜାଗା ଛାଡି ଦେଇଥିଲେ। କିନ୍ତୁ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସମୟ ଅବଧିର ୪ ମାସରୁ ଊଦ୍ଧର୍‌ବ ବିତିଯାଇଥିଲେ ମଧ୍ୟ ଜାଗା ଛାଡ଼ୁନାହାନ୍ତି ବଡ଼ବଡ଼ିଆ ଲୋକେ। ଗତ ଅକ୍ଟୋବର ୨୦ ତାରିଖରେ ଅତିରିକ୍ତ ତହସିଲଦାର ମନୋରଞ୍ଜନ ସୁନାଙ୍କ ସହ ବାଉଁଶୁଣୀ ରାଜସ୍ବ ନିରୀକ୍ଷକ ସୁଜିତ କୁମାର ସାହୁ, ଗୁନ୍ଦୁଲିଆ ରାଜସ୍ବ ନିରୀକ୍ଷକ ହାମିଦ ମଲ୍ଲିକ ଏବଂ ସ୍ଥାନୀୟ ପୋଲିସର ଉପସ୍ଥିତିରେ ମାପ କରାଯାଇ ସରକାରୀ ଜାଗା ଚିହ୍ନଟ କରାଯାଇଥିଲା। ଏହି ମାପ ସମୟରେ ବେଆଇନ ଭାବେ ନିର୍ମାଣ ହୋଇଥିବା ଘରର କାନ୍ଥରେ ଦିଆଯାଇଥିବା ନାଲିଗାରକୁ କେତେଜଣ ବଡବଡିଆ ଓ ପ୍ରଭାବଶାଳୀ ଲୋକ ସିମେଣ୍ଟ ଘସି ଲିଭେଇ ଦେଇଥିବା ମଧ୍ୟ ଦେଖିବାକୁ ମିଳିଛି। ତେବେ କାହା ଛତ୍ରଛାୟା ତଳେ ରହି ଏବଂ କେଉଁ ଅଦୃଶ୍ୟ ଶକ୍ତି ବଳରେ ଏମାନଙ୍କୁ ଉଠାଯାଉନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଜବରଦଖଲ ହଟାଯାଇଥିବା ବେଳେ ଭଙ୍ଗା ସାମଗ୍ରୀଗୁଡ଼ିକ ଉଠାଯାଉ ନ ଥିବାରୁ ଯାତାୟାତରେ ବାଧା ସୃଷ୍ଟି ହେବା ସହିତ ଦୁର୍ଘଟଣାର ଆଶଙ୍କା ରହିଛି। ଏ ସଂପର୍କରେ ଜିଲାପାଳ ସାହୁଙ୍କୁ ପଚାରିବାରେ ତହସିଲଦାରଙ୍କୁ ଯୋଗାଯୋଗ କରି ବିହିତ ପଦକ୍ଷେପ ନିଆଯିବା କଥା କହିଥିଲେ।