ଲକ୍ଷ୍ୟ ହାସଲ ପାଇଁ ପ୍ରତିଯୋଗିତା କର

ଭୁବନେଶ୍ୱର,୧୫ା୨(ବ୍ୟୁରୋ): ରାଜ୍ୟ ସରକାରଙ୍କ ସମସ୍ତ ବିକାଶମୂଳକ କାର୍ଯ୍ୟ ଯଥାସମ୍ଭବ କମ୍‌ ସମୟରେ କାର୍ଯ୍ୟକାରୀ କରିବା ସହିତ ଜନକଲ୍ୟାଣ ଯୋଜନାର ଲାଭ ପ୍ରତ୍ୟେକ ଉପଯୁକ୍ତ ହିତାଧିକାରୀଙ୍କ ପାଖରେ ପହଞ୍ଚିବା ଦରକାର। ଏହି ଲକ୍ଷ୍ୟ ହାସଲ ସହିତ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିବା ସକାଶେ ଜିଲାଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ହେବା ଉଚିତ। ମଙ୍ଗଳବାର ଲୋକସେବା ଭବନଠାରେ ଆରମ୍ଭ ହୋଇଥିବା ଦୁଇଦିନିଆ ବରିଷ୍ଠ ଅଧିକାରୀ ସମ୍ମିଳନୀକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲାପାଳ ଓ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କୁ ଏହି ପରାମର୍ଶ ଦେଇଛନ୍ତି। ନୂଆ ଏବଂ ସଶକ୍ତ ଓଡ଼ିଶା ଗଠନ ଦିଗରେ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କ୍ରୀଡ଼ା, ସ୍ବାସ୍ଥ୍ୟସେବା, ସ୍କୁଲ ଉନ୍ନତୀକରଣ, ମହିଳା ସଣକ୍ତୀକରଣ, ଦକ୍ଷତା ବିକାଶ, ଶସ୍ୟ ଉତ୍ପାଦନ, କୋଭିଡ୍‌ ପରିଚାଳନା ଆଦି କ୍ଷେତ୍ରରେ ହୋଇଥିବା ରୂପାନ୍ତରଣ କ୍ଷେତ୍ରରେ ଓଡ଼ିଶା ଅନେକ ରାଜ୍ୟ ପାଇଁ ଏକ ଆଗୁଆ ରାଜ୍ୟରେ ପରିଣତ ହୋଇଛି। ଜିଲାପାଳ ଓ ଜିଲା ପ୍ରଶାସନ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚି ଉନ୍ନତ ଜ୍ଞାନକୌଶଳ ଉପଯୋଗ କରି ସେମାନଙ୍କର ସମସ୍ୟାକୁ ଶୀଘ୍ର ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଓଡ଼ିଶା ଦେଶରେ ଶସ୍ୟ ଉତ୍ପାଦନରେ ବଳକା ରାଜ୍ୟ ହେବା ସହ ଜାତୀୟ ସାଧାରଣ ବଣ୍ଟନ ବ୍ୟବସ୍ଥା ପାଇଁ ଅବଦାନ ଦେଉଛି। ଗ୍ରାମାଞ୍ଚଳରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଫାର୍ମ ମେକାନିଜମ୍‌, ଶସ୍ୟ ବିବିଧୀକରଣ, ଉଦ୍ୟାନ କୃଷି, ଫୁଲଚାଷ, ଦୁଗ୍ଧ ଉତ୍ପାଦନ, ମତ୍ସ୍ୟ ଚାଷ ଉପରେ ଅଧିକ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମିଲେଟ୍‌ ମିଶନ ଦେଶରେ ଉଦାହରଣ ସୃଷ୍ଟି କରିବା ସହ ପୁଷ୍ଟିକର ଖାଦ୍ୟର ଚାହିଦାକୁ ପୂରଣ କରିଛି। ଗ୍ରାମାଞ୍ଚଳ ଅର୍ଥ ବ୍ୟବସ୍ଥାକୁ ଏହା ସୁଦୃଢ଼ କରିଛି। ଏହି କ୍ଷେତ୍ରକୁ ଆହୁରି ବିକଶିତ କରିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।
ଷ୍ଟାର୍ଟଅପ୍‌ ରାଜ୍ୟ ଅର୍ଥନୀତି ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛି। ଦେଶର ସର୍ବୋଚ୍ଚ ୩ଟି ଷ୍ଟାର୍ଟଅପ୍‌ ଡେଷ୍ଟିନେଶନରେ ଓଡ଼ିଶାକୁ ସାମିଲ କରିବାକୁ ପ୍ରୟାସ ଜାରି ରହିଛି। ମହିଳା ସଶକ୍ତୀକରଣ ରାଜ୍ୟର ସବୁଠୁ ବଡ଼ ପ୍ରସଙ୍ଗ। ମିଶନଶକ୍ତି ଗୋଷ୍ଠୀଗୁଡିକୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗରେ ପରିଣତ କରିବା ଉଦ୍ୟମ ଜାରି ରହିଛି। ଏଥିପାଇଁ ଏସ୍‌ଏଚ୍‌ଜିଗୁଡ଼ିକୁ ବିନା ସୁଧରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯାଉଛି। ଆଗାମୀ ୫ ବର୍ଷରେ ମିଶନ ଶକ୍ତି ଗୋଷ୍ଠୀଙ୍କୁ ୫୦ ହଜାର କୋଟି ଟଙ୍କା ଋଣ ସହାୟତା ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ମିଶନ ଶକ୍ତି ଗୋଷ୍ଠୀଙ୍କୁ ସେମାନଙ୍କର ଲକ୍ଷ୍ୟ ହାସଲ ପାଇଁ ଜିଲାପାଳମାନେ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
କୋରାପୁଟର ମିଶନ ଶକ୍ତି ଇଣ୍ଡଷ୍ଟ୍ରିଆଲ ପାର୍କକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ସ୍କୁଲ ରୂପାନ୍ତରଣ, ପର୍ଯ୍ୟଟନର ପ୍ରଚାର, ଖେଳ କ୍ଷେତ୍ରକୁ ମଧ୍ୟ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ୫-ଟି ଓ ମୋ ସରକାର ଆଧାରରେ କିପରି ପ୍ରଶାସନକୁ ଅଧିକ ଲୋକାଭିମୁଖୀ କରାଯିବ ସେନେଇ ଭବିଷ୍ୟତ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ ହେଉଛି ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି। ସମ୍ମିଳନୀରେ ୧୭ଟି ବିଷୟ ଉପରେ ଆଲୋକପାତ କରାଯାଇଛି। ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ପ୍ରମୁଖ ସମ୍ମିଳନୀରେ ଯୋଗଦେଇଥିଲେ।