Categories: ଜାତୀୟ

ଦିଲ୍ଲୀ ମୁଣ୍ଡକା ଅଗ୍ନିକାଣ୍ଡରେ ମୃତକଙ୍କୁ ୨ ଲକ୍ଷ , ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୪ ।୫: ରାଜଧାନୀ ଦିଲ୍ଲୀର ମୁଣ୍ଡକାରେ ଶୁକ୍ରବାର ଅପରାହ୍ନରେ ହୋଇଥିବା ଅଗ୍ନିକାଣ୍ଡକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି । ଏହାସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ପିଏମଓ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି ଅଗ୍ନିକାଣ୍ଡରେ ମୃତକଙ୍କ ପରିଜନଙ୍କୁ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡରୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତ ରାଶି ଯୋଗାଇଦେବେ । ସେହିପରି ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ ପାଇଁ ମୋଦି ଘୋଷଣା କରିଛନ୍ତି ।
ସୂଚନାଯୋଗ୍ୟ, ଦିଲ୍ଲୀର ମୁଣ୍ଡକା ସ୍ଥିତ ଏକ ଇଲେକ୍ଟ୍ରୋନିକ ସାମଗ୍ରୀ ଥିବା ଏକ ଗୋଦାମରେ ଶୁକ୍ରବାର ଅପରାହ୍ନରେ ନିଆଁ ଲାଗିଯିବା ଫଳରେ ଏପର୍ଯ୍ୟନ୍ତ ୨୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ଏଥିରେ ପ୍ରାୟ ୪୦ ଜଣ ଆହତଙ୍କର ଚିକିତ୍ସା ଚାଲିଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ତେବେ ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଅପରାହ୍ନରେ ଲାଗିଥିବା ନିଆଁକୁ ଲିଭାଇବାକୁ ୨୪ ଦମକଳ ଗାଡି ଲାଗିଥିବା ବେଳେ ଏହାକୁ ଆୟତ୍ତ କରିବାକୁ ରାତି ପ୍ରାୟ ୧୨ଟା ପରେ ହୋଇଯାଇଥିଲା ।

Share