Categories: ଜାତୀୟ

ପଜିଟିଭ୍‌ ହେବାର ୩୦ ଦିନ ମଧ୍ୟରେ ଆତ୍ମହତ୍ୟା କରିଥିବା କରୋନା ଆକ୍ରାନ୍ତଙ୍କ ପରିବାରକୁ କ୍ଷତି ପୂରଣ…

ନୂଆଦିଲ୍ଲୀ,୨୩।୯: କରୋନା ପଜିଟିଭ୍‌ ହେବାର ୩୦ ଦିନ ମଧ୍ୟରେ ଆତ୍ମହତ୍ୟା କରିଥିବା ଆକ୍ରାନ୍ତଙ୍କ ପରିବାରଙ୍କୁ ଅନୁକମ୍ପାମୂଳକ କ୍ଷତିପୂରଣ ପ୍ରଦାନ କରିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟଙ୍କୁ କୁହାଯାଇଛି। ପୂର୍ବରୁ ଶୀର୍ଷକୋର୍ଟ ଏହି କ୍ଷତି ପୂରଣ ନିଷ୍ପତ୍ତିର ପୁନର୍ବିଚାର କରିବାକୁ କେନ୍ଦ୍ର ସରକାରଙ୍କୁ କହିଥିଲେ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ ସତ୍ୟପାଠ ଦାଖଲ କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ପଜିଟିଭ୍‌ ହେବାର ମାସେ ମଧ୍ୟରେ ଆତ୍ମହତ୍ୟା କରିଥିବା ଆକ୍ରାନ୍ତଙ୍କ ପରିବାରଙ୍କୁ କ୍ଷତିପୂରଣ ତାଲିକାଭୁକ୍ତ କରାଯିବ।

ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ଧାରା ୨୧(୩) ଅନୁସାରେ ୨୦୨୧ ସେପ୍ଟେମ୍ବର ୧୧ରେ ଦାଖଲ କରାଯାଇଥିବା ସତ୍ୟପାଠ ଗାଇଡ୍‌ଲାଇନ୍‌ ଆଧାରରେ କ୍ଷତିପୂରଣ ପ୍ରଦାନ କରାଯିବ।

ସେପ୍ଟେମ୍ବର ୧୩ରେ ବିଚାରପତି ଏମ୍‌.ଆର୍‌.ଶାହା ଏବଂ ଏ.ଏସ୍‌. ବୋପନ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କରୋନା ଆକ୍ରାନ୍ତଙ୍କ ଆତ୍ମହତ୍ୟା କ୍ଷତିପୂରଣର ସମୀକ୍ଷା ପୁଣି ଥରେ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସୂଚନାଯୋଗ୍ୟ, ଆଇନଜୀବୀ ଗୌରବ କୁମାର ବଂଶଲଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କ ବିରୋଧରେ ଏହି ଜନସ୍ବାର୍ଥ ମାମଲା ଦାଖଲ କରାଯାଇଥିଲା।

Share