Categories: ଜାତୀୟ

ଅନୁକମ୍ପାମୂଳକ ନିଯୁକ୍ତି ଅଧିକାର ନୁହେଁ…

ନୂଆଦିଲ୍ଲୀ,୬।୧୦: ସରକାରଙ୍କୁ ପକ୍ଷରୁ ପ୍ରଦାନ କରାଯାଉଥିବା ଅନୁକମ୍ପା ମୂଳକ ନିଯୁକ୍ତି ଦୟା ମନୋଭାବ ଯୋଗୁ କରାଯାଇଥାଏ। ହଠାତ୍‌ ସଙ୍କଟ ଦୂର କରିବା ଲାଗି ସରକାରଙ୍କ ପକ୍ଷରୁ ଏଭଳି କରାଯାଇଥାଏ। ମାତ୍ର ଏହା ଅଧିକାର ନୁହେଁ ବୋଲି ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ କୁହାଯାଇଛି। ଶୀର୍ଷ ଅଦାଲତ କହିଛନ୍ତି ଯେ, ସମ୍ବିଧାନର ଧାରା ୧୪ ଏବଂ ୧୬ ଅନୁଯାୟୀ ସମସ୍ତ ସରକାରୀ ପଦବୀରେ ଅନୁକମ୍ପାମୂଳକ ନିଯୁକ୍ତି କ୍ଷେତ୍ରରେ ପ୍ରାର୍ଥୀଙ୍କୁ ସମାନ ସୁଯୋଗ ପ୍ରଦାନ କରାଯିବା ଉଚିତ, କିନ୍ତୁ ଏହା ମାନଦଣ୍ଡ ଅନୁସାରେ କରାଯିବା ଆବଶ୍ୟକ।

ବିଚାରପତି ଏମ.ଆର୍‌. ଶାହା ଏବଂ ଆର୍‌.ବୋପାନ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଦୟା ମନୋଭାବ କାରଣରୁ ରୋଜଗାର ଯୋଗାଇବାର ସମ୍ପୂର୍ଣ୍ଣ ଉଦ୍ଦେଶ୍ୟ ହେଉଛି ରୋଜଗାର କରୁଥିବା ବ୍ୟକ୍ତିଙ୍କ ହଠାତ୍‌ ମୃତ୍ୟୁ କ୍ଷେତ୍ରରେ କୌଣସି ପରିବାରକୁ
ତତ୍‌କ୍ଷଣାତ୍‌ ସଙ୍କଟରୁ ସୁରକ୍ଷା ଦେବାକୁ ସକ୍ଷମ କରାଇବା। ଏହାର ଉଦ୍ଦେଶ୍ୟ ନୁହେଁ ଯେ, ପରିବାରକୁ ସହାୟତା ନାମରେ ମୃତକଙ୍କ ପଦବୀଠାରୁ କମ ପଦବୀରେ ନିଯୁକ୍ତି ଦେବା।

ଖଣ୍ଡପୀଠ ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଖାରଜ କରି ଉତ୍ତରପ୍ରଦେଶ ସରକାରଙ୍କ ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି। ଚତୁର୍ଥ ଶ୍ରେଣୀର ଜଣେ କର୍ମଚାରୀଙ୍କ ବିଧବାଙ୍କୁ ତୃତୀୟ ଶ୍ରେଣୀରେ ନିଯୁକ୍ତ ନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ଶୀର୍ଷ କୋର୍ଟ କହିଛନ୍ତି ଯେ ଅନୁକମ୍ପାମୂଳକ ନିଯୁକ୍ତିରେ ଶିକ୍ଷାଗତ ଯୋଗ୍ୟତାକୁ ମଧ୍ୟ ବିଚାର ପରିସରଭୁକ୍ତ କରାଯିବା ଆବଶ୍ୟକ। ମୃତକ ରାଜ୍ୟ ପୋଲିସ ବିଭାଗର ରେଡିଓ ସେକଶନ୍‌ରେ ମେସେଞ୍ଜରଭାବେ କାର୍ଯ୍ୟ କରୁଥିଲେ।

ସୂଚନାଯୋଗ୍ୟ, ନିକଟରେ ଆହ୍ଲାବାଦ ହାଇକୋର୍ଟ ଜଣେ ବିବାହିତ ମହିଳାଙ୍କୁ ପିତାଙ୍କ ପରେ ଅନୁକମ୍ପାମୂଳକ ଚାକିରି ପାଇବାକୁ ଯୋଗ୍ୟ ବୋଲି ବିଚାର କରିବାକୁ ମନା କରିଦେଇଥିଲେ। କୋର୍ଟ କହିଥିଲେ ଯେ ବିବାହ ପରେ ଝିଅ ପରିବାରର ଏକ ଅଂଶ ହୋଇ ନ ଥାଏ। ତେଣୁ ମୃତ ବ୍ୟକ୍ତିଙ୍କ ନିର୍ଭରଶୀଳ କୋଟାରେ ନିଯୁକ୍ତି ପାଇବାକୁ ସେ ହକଦାର ନୁହଁନ୍ତି। ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ନିର୍ଦ୍ଧାରିତ ୧୯୯୫ର ନିୟମାବଳୀକୁ ମଧ୍ୟ କୋର୍ଟ ଦର୍ଶାଇଛନ୍ତି। ଏାହା ଅନୁଯାୟୀ ବିବାହିତ ଝିଅ ପରିବାର ସଦସ୍ୟ ନୁହେଁ। ଅଦାଲତ ଏହା ମଧ୍ୟ କହିଥିଲେ ଯେ, ନିର୍ଭରଶୀଳ କୋଟାରେ ନିଯୁକ୍ତି ପାଇଁ ଦାବି ଏହା ଅନ୍ତର୍ଗତ ଠିକ ନୁହେଁ। କୋର୍ଟ କହିଛନ୍ତି ଯେ ଉଭୟ ଆଇନ ଏବଂ ପରମ୍ପରା ଅନୁଯାୟୀ ଜଣେ ବିବାହିତ ଝିଅ ପିତାଙ୍କ ଉପରେ ନୁହେଁ ତାଙ୍କ ସ୍ବାମୀଙ୍କ ଉପରେ ନିର୍ଭରଶୀଳ।

Share