ପଦ୍ମପୁର,୨୭।୪ (ପ୍ରଦୀପ୍ତ ଦାଶ): ରାଜବୋଡାସମ୍ବର ଇନପୁଟ ଡିଲର ୟୁନିୟନ ପକ୍ଷରୁ ସୋମବାର ଭାରତ ପ୍ରଧାନମନ୍ତ୍ରୀ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ଦଫା ସମ୍ବଲିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସ୍ଥାନୀୟ ଭେଉଁରିଆ ଛକର ୟୁନିୟନର କର୍ମକର୍ତ୍ତା ଗଣ ଏକ ବିରାଟ ମୋଟର ସାଇକେଲ ରାଲିରେ ବାହାରି ପ୍ରଥମେ ବରିକେଲସ୍ଥିତ କୃଷି ଜିଲା ଅଧିକାରୀ ପ୍ରଭାସ ଚନ୍ଦ୍ର ପଣ୍ଡାଙ୍କ ଠାରେ ଦାବିପତ୍ର ଦେଇଥିଲେ ପରେ ସେଠାରୁ ପଦ୍ମପୁର ଉପଜିଲାପାଳ କାଯର୍ୟାଳୟ ଆସି ପଦ୍ମପୁର ଉପଜିଲାପାଳଙ୍କ ଅନୁପସ୍ଥିତିରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସହକାରୀ ଜିଲାପାଳ ନେପାଳ ଚନ୍ଦ୍ର ମୁଣ୍ଡାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।
ସେମାନେ ଦାବି ପତ୍ରରେ ଲେଖିଛନ୍ତି ଯେ, ସାର କମ୍ପାନୀ ଡିଲର ଗୋଦାମ ପର୍ଯ୍ୟନ୍ତ ପହଞ୍ଚାଇବା କମ୍ପାନୀର ଦାୟିତ୍ୱ ରହୁ ଯାହାକି ଡିଲର କୁଇଣ୍ଟାଲ ପିଛା ୪୦/୫୦ଟଙ୍କା ଖର୍ଚ୍ଚ ବହନ କରୁଛି ଓ ତାହା ଚାଷୀ ଉପରେ ପଡୁଛି ,କୋଣସି ପ୍ୟାକିଂର ସାମ୍ପୁଲ ଫେଲ ହେଲେ ନିର୍ମାଣ କରିଥିବା କମ୍ପାନୀ ଦାୟୀ ରୁହନ୍ତୁ ଓ ଡିଲରକୁ ସାକ୍ଷୀ ରଖାଯାଉ,ସରକାର ଯେଉଁ ସାଥି ପୋର୍ଟାଲ ଖୋଲିଛନ୍ତି ତାହା ଅନେକ ଗ୍ରାମାଞ୍ଚଳରେ ନେଟୱର୍କ ନ ଥିବାରୁ ତାହା ଡିଲର ଓ କମ୍ପାନୀ ପର୍ଯ୍ୟନ୍ତ ସିମୀତ ରହୁ ।
ସେହିପରି ସାର ଔଷଧ ବିକ୍ରୀରେ ହୋଲସେଲର ମାରଜିନ ୩ ପ୍ରତିଶତ ଓ ଡିଲର ମାରଜିନ ୫ ପ୍ରତିଶତ ରଖାଯାଉ ବୋଲି ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି। ରାଜବୋଡାସମ୍ବର ଇନପୁଟ ଡିଲର ସଂଘର ସଭାପତି ସପ୍ତସିନ୍ଧୁ ବଗର୍ତ୍ତୀଙ୍କ ନେତୃତ୍ୱରେ ପଦ୍ମପୁର, ପାଇକମାଲ ଓ ଝାରବନ୍ଧ ବ୍ଳକ ର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ।
Dharitri – Odisha’s No.1 Odia Daily