୧୬ ହଜାର କୋଟି ଟଙ୍କା ମୂଲ୍ୟର କମ୍ପାନୀ ୭୪ ଟଙ୍କାରେ ବିକ୍ରି: ଗୋଟିଏ ଟୁଇଟ କଲା ସର୍ବସ୍ବାନ୍ତ…

ଦୁବାଇ,୪।୧୦ : ହଜାର ହଜାର କୋଟି ଟଙ୍କା ସମ୍ପତ୍ତି ଥିବା ବ୍ୟକ୍ତି ରାତାରାତି ଅରବପତିରୁ ରାସ୍ତାରେ ପହଞ୍ଚିବା ବିଶ୍ୱାସ କରିବା ଟିକେ କଷ୍ଟକର। ତେବେ ବିଆର ଶେଟ୍ଟି (ବାଭାଗୁଥୁ ରଘୁରାମ ଶେଟ୍ଟି)ଙ୍କ କ୍ଷେତ୍ରରେ ଏହା ଘଟିଥିଲା। ଯିଏ କି ଏକଦା କୋଟିପତି ଥିଲେ। ଶେଟ୍ଟିଙ୍କ ନିଟ ସମ୍ପତ୍ତିର ମୂଲ୍ୟ ଥିଲା ୧୮ ହଜାର କୋଟି ଟଙ୍କା। ବୁର୍ଜ ଖଲିଫାରେ ତାଙ୍କର ୨ ଟି ମହଲା ଥିଲା। ଯାହାର ମୂଲ୍ୟ ୨.୫ କୋଟି ଡଲାର ଥିଲା ।

ଏହା ସହିତ ପାଖରେ ଥିଲା ପ୍ରାଇଭେଟ ଜେଟ, ବିଳାସପୂର୍ଣ୍ଣ କାର ଏବଂ ପାମ ଜୁମେରାରେ ଥିଲା ବିଳାସପୂର୍ଣ୍ଣତା ଅଟ୍ଟାଳିକା। ତେବେ ଗୋଟିଏ ଟୁଇଟ ତାଙ୍କର ସମଗ୍ର ସାମ୍ରାଜ୍ୟକୁ ଓଲଟପାଲଟ କରିଦେଥିଲା ।

ହିଣ୍ଡେନବର୍ଗ ମାମଲାରେ ଆଦାନୀ ଗ୍ରୁପ ସହିତ ଯେପରି ଘଟିଥିଲା, ବିଆର ଶେଟ୍ଟୀଙ୍କ କ୍ଷେତ୍ରରେ ତାହା ବହୁ ଗୁଣା ବଡ ଥିଲା । ପରିସ୍ଥିତି ଏପରି ହେଲା ତାଙ୍କୁ ୨ ବିଲିୟନ ଡଲାର (୧୬,୬୫୦ କୋଟି) ମୂଲ୍ୟର କମ୍ପାନୀକୁ ୧ଡଲାରରେ ବିକ୍ରି କରିବାକୁ ପଡିଥିଲା। ଯାହା ସେହି ସମୟରେ ୭୪ ଟଙ୍କା ସହିତ ସମାନ ଥିଲା।

୨୦୧୯ରେ, ବ୍ରିଟେନର ମଡି ୱାଟର ତାଙ୍କ କମ୍ପାନୀ ବିଷୟରେ ଏକ ଟୁଇଟ କରିଥିଲା। ଚାରିମାସ ପରେ, କମ୍ପାନୀ ଏକ ସମ୍ପୂର୍ଣ୍ଣ ରିପୋର୍ଟ ପ୍ରକାଶ କରିଥିଲା ଯେଉଁଥିରେ ଏନଏମସି ହେଲଥରେ ଆର୍ଥିକ ଅନିୟମିତତା ସମ୍ପର୍କରେ ଦାବି କରାଯାଇଥିଲା। ରିପୋର୍ଟରେ କୁହାଯାଇଥିଲା ଏନଏମସି ହେଲଥ ଋଣକୁ କମ କରୁଛି ଏବଂ ନଗଦ ପ୍ରବାହକୁ ଅଧିକ କରୁଛି। ଏନଏମସି ହେଲଥ ଶେଟ୍ଟୀଙ୍କ କମ୍ପାନୀ ଥିଲା।

ୟୁଏଇର ଏହା ସବୁଠାରୁ ବଡ ଘରୋଇ ସ୍ବାସ୍ଥ୍ୟ ଅପରେଟର ଥିଲା। ଏହି କମ୍ପାନୀ ଲଣ୍ଡନ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହୋଇଥିଲା। ଶେଟ୍ଟିଙ୍କ ଦୁର୍ଭାଗ୍ୟ ଥିଲା ଏହି କମ୍ପାନୀ ମଡି ୱାଟର ରାଡାର ଅଧୀନରେ ଆସିଥିଲା। କମ୍ପାନୀର ଆର୍ଥିକ ଅନିୟମିତତା ଦାବି ଶେୟାରରେ ବିକ୍ରୟ ଘଟାଇଲା ଏବଂ କିଛି ସମୟ ମଧ୍ୟରେ ଶେଟ୍ଟି ପରିବାରର ସମ୍ପତ୍ତି ୧,୫ ବିଲିୟନ ଡ଼ଲାର ହ୍ରାସ ପାଇଥିଲା।

Share