Categories: ଜାତୀୟ

ଆରମ୍ଭ ହେଲାଣି ଗୋଷ୍ଠୀ ସଂକ୍ରମଣ

ନୂଆଦିଲ୍ଲୀ,୧୯ା୭: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ଟପିଥିବାବେଳେ ଦେଶରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା ଭାରତୀୟ ମେଡିକାଲ ସଂଘ (ଆଇଏମ୍‌ଏ) ଅନୁଭବ କରୁଛି। କରୋନା ସଂକ୍ରମଣ ଏବେ ବିସ୍ଫୋରକ ରୂପ ଧାରଣ କଲାଣି ବୋଲି ଆଇଏମ୍‌ଏ ହସ୍ପିଟାଲ ବୋର୍ଡ ଅଫ୍‌ ଇଣ୍ଡିଆର ଅଧ୍ୟକ୍ଷ ଡ. ଭି.କେ. ମୋଙ୍ଗା କହିଛନ୍ତି। ପ୍ରତିଦିନ ୩୦ ହଜାରରୁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି। ଏହା ଅତ୍ୟନ୍ତ ସଙ୍ଗିନ୍‌ ସ୍ଥିତି ବୋଲି ସେ ମତ ଦେଇଛନ୍ତି। ଏବେ ଏହା ଗ୍ରାମାଞ୍ଚଳକୁ ବ୍ୟାପିବା ଆରମ୍ଭ ହୋଇଛି। ଏହା ଖରାପ ଲକ୍ଷଣ ଏବଂ ଗୋଷ୍ଠୀ ସଂକ୍ରମଣର ଆଭାସ ବୋଲି ଡ. ମୋଙ୍ଗା କହିଛନ୍ତି। ଗ୍ରାମାଞ୍ଚଳକୁ ସଂକ୍ରମଣ ବ୍ୟାପିଯିବା ପରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼ିବ। ମହାରାଷ୍ଟ୍ର, କର୍ନାଟକ, କେରଳ, ଗୋଆ, ମଧ୍ୟପ୍ରଦେଶର ଆଭ୍ୟନ୍ତରୀଣ ଅଞ୍ଚଳ ଏବେ କରୋନାରେ ନୂଆ ହଟ୍‌ସ୍ପଟ୍‌ ହୋଇଥିବା ଆଇଏମ୍‌ଏ ପକ୍ଷରୁ କୁହାଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ୩୪,୮୮୪ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୬୭୧ ଜୀବନ ଯାଇଛି। ଦେଶରେ ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦.୫୦ ଲକ୍ଷରୁ ଅଧିକ ହୋଇଛି। ମୋଟ ୨୬,୫୦୦ ଲୋକ ପ୍ରାଣ ହରାଇଥିବାବେଳେ ସବୁଆଡ଼େ ଆତଙ୍କ ପରିସ୍ଥିତି ଦେଖାଦେଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବକ ୬.୫୪ ଲକ୍ଷ ଲୋକ ସୁସ୍ଥହୋଇ ଘରକୁ ଫେରିଛନ୍ତି। ଏବେ ଆକ୍ଟଭ୍‌ ମାମଲା ୩.୫୮ ଲକ୍ଷ ରହିଥିବା ଜଣାପଡ଼ିଛି। ବହୁମାତ୍ରାରେ ନୂଆ ମାମଲା ଦେଖାଦେବା ପରେ ସୁସ୍ଥହାର ସାମାନ୍ୟ କମି ୬୨.୯୩% ରହିଛି।
ମହାରାଷ୍ଟ୍ର, ତାମିଲନାଡ଼ୁ, ଦିଲ୍ଲୀ, କର୍ନାଟକ ଆଦି ରାଜ୍ୟର ପରିସ୍ଥିତି ଭୟଙ୍କର ହେବାରେ ଲାଗିଛି।କେବଳ ମହାରାଷ୍ଟ୍ରରେ ୩ ଲକ୍ଷ ଲୋକ ଭୂତାଣୁ ଆକ୍ରାନ୍ତ ହୋଇଥିବାବେଳେ ୧୧,୪୫୦ ଲୋକ ପ୍ରାଣ ହରାଇଛନ୍ତି। ଏଠାରେ ଦିନକରେ ୮ ହଜାରରୁ ଊର୍ଦ୍ଧ୍ୱ ନୂଆ ମାମଲା ଚିହ୍ନଟ କରାଯାଇଛି। ତାମିଲନାଡ଼ୁରେ ୧.୬୦ ଲକ୍ଷ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୨,୩୧୫କୁ ବୃଦ୍ଧିପାଇଛି।

Share