ଲକ୍ଷ୍ୟଠାରୁ ଦୂରରେ କମ୍ୟୁନିଟି ହଲ୍‌

ଲାଠୋର,୨୮ା୫(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋରରେ ରହିଛି କମ୍ୟୁନିଟି ହଲ(ଗୋଷ୍ଠୀକେନ୍ଦ୍ର)। ସେବା ସମବାୟ ସମିତି ନିକଟରେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି କେନ୍ଦ୍ର ଏବେ ସାଧାରଣ ଲୋକଙ୍କ କାମରେ ଆସୁନାହଁି। ଯେଉଁ ଲକ୍ଷ୍ୟ ନେଇ ଗୋଷ୍ଠୀକେନ୍ଦ୍ର ନିର୍ମାଣ କରାଯାଇଥିଲା ତାହା ପୂରଣ ହୋଇ ପାରୁନାହିଁ। ସେଠାରେ ଗତ ୪ବର୍ଷ ହେଲା ହାଟପଦା ପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ଚାଲିଛି। ଏପରିକି ସ୍କୁଲର ନିଜସ୍ବ କୋଠା ନିର୍ମାଣ ହୋଇଥିଲେ ମଧ୍ୟ ସ୍କୁଲ ସ୍ଥାନାନ୍ତର କରାଯାଉନାହିଁ। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ଅଞ୍ଚଳବାସୀଙ୍କ ସାଧାରଣ ବ୍ୟବହାର ପାଇଁ ଲାଠୋରେ ନିର୍ମାଣ କରାଯାଇଥିଲା ଗୋଷ୍ଠୀ କେନ୍ଦ୍ର। କୌଣସି ଦେୟ ନ ଦେଇ ଲୋକେ ସଭା, ବୈଠକ ଓ ମାଙ୍ଗଳିକ କାର୍ଯ୍ୟ କରି ପାରୁଥିଲେ। ଘଟଣାକ୍ରମରେ ହାଟପଦା ପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ଏକ ମୁକୁଳା ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ପିଲାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିଲା। ସେଥି ସକାଶେ ଖପ୍ରାଖୋଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ସେଠାରେ ପାଠ ପଢା ନକରି ଗୋଷ୍ଠୀ କେନ୍ଦ୍ରରେ ପିଲାଙ୍କୁ ନେଇ ପାଠ ପଢାଇବା ପାଇଁ ତାଙ୍କ କାର୍ଯ୍ୟାଳୟ ପତ୍ରସଂଖ୍ୟା ୧୦୧୩/ତା ୧୨ା୭ା୨୦୧୯ରିଖରେ ସମ୍ପୃକ୍ତ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେ ଅନୁସାରେ ପ୍ରଧାନ ଶିକ୍ଷୟିତ୍ରୀ ସେଠରେ ଅଦ୍ୟାବଧି ପାଠ ପଢାଉଛନ୍ତି। ଅନ୍ୟପକ୍ଷରେ ବିଦ୍ୟୁତ୍‌ ସବଷ୍ଟେଶନ ଟ୍ରାନ୍ସଫର୍ମର ଚାରିପାଖେ ବାଡା ଦିଆଯାଇଥିବା ବେଳେ ସେଠାରେ କେବୁଲ ତାର ବ୍ୟବସ୍ଥା ହୋଇସାରିଛି। ହେଲେ ବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରକୃତ ସ୍କୁଲସ୍ଥଳକୁ ଯାଇ ପାଠପଢା କରିବା ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି। କେନ୍ଦ୍ର କୋଠା ମୁକ୍ତ କରିବା ପାଇଁ ଅନେକ ଦିନରୁ ଦାବି ହୋଇ ଆସୁଥିଲେ ମଧ୍ୟ ପ୍ରଶାସନ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ। ଫଳରେ ସାଧାରଣ ଲୋକ ବିଭିନ୍ନ କାର୍ଯ୍ୟକ୍ରମ କରିବାରେ ସମସ୍ୟାର ସମ୍ମଖୀନ ହେଉଛନ୍ତି। ବେସରକାରୀ ମଣ୍ଡପ, ଧର୍ମଶାଳା ଭଡ଼ା ନେଇ ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ ହେଉଛି। ଏନେଇ ଖପ୍ରାଖୋଲ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମିନକେତନ ବରିହାଙ୍କୁ ପଚାରିବାରୁ ରାଜସ୍ବ ପ୍ରଶାସନ ପକ୍ଷରୁ ସ୍କୁଲ ଜମି ସମ୍ପୂର୍ଣ୍ଣ ଡିମାରକେଶନ ପରେ ସେଠାକୁ ସ୍ଥାନାନ୍ତରଣ ବ୍ୟବସ୍ଥା କରିବୁ ବୋଲି କହିଛନ୍ତି। ତେବେ ଯଥାଶୀଘ୍ର ଗୋଷ୍ଠୀ କେନ୍ଦ୍ରକୁ ମୁକ୍ତ କରି ସାଧାରଣ ଲୋକଙ୍କ ବ୍ୟବହାରରେ ଉପଯୋଗ କରିବାକୁ ସାଧାରଣରେ ଦାବି ହେଉଛି।