ଛତ୍ରପୁର, ୨୮।୭ (ଦିଲ୍ଲୀପ ସାମଲ/ ଦ୍ୱାରକା ପଟ୍ଟନାୟକ) : ସ୍ଥାନୀୟ ତାମ୍ପରା ବୋଟିଂ କ୍ଲବ ନିକଟ ପାର୍କିଂରେ ପଇସାକୁ କେନ୍ଦ୍ର କରି ଯୁବକଙ୍କ ଭିତରେ ବଚ୍ସାରୁ ଗଣ୍ଡଗୋଳ ସୃଷ୍ଟି ହୋଇଛି। ଛତ୍ରପୁର ଥାନାଧିକାରୀ ସବ୍ୟସାଚୀ ମଲ୍ଲଙ୍କ ସୂଚନା ଅନୁଯାୟୀ ବିଘ୍ନରାଜ ସାହୁ ଦୁଇ ଚକିଆ ଯାନବାହାନ ପାର୍କିଂ ବାବଦରେ ପଇସା ଆଦାୟ କରୁଥିଲେ। ଛତ୍ରପୁର ଅଞ୍ଚଳର ତିନୋଟି ଯୁବକ ଟୁକୁନା ଆଚାରୀ, ଜିତେନ୍ଦ୍ର କୁମାର ସେନାପତି ଏବଂ ଜେ. ନରେଶ ଆଚାରୀ ନିଜ ଗାଡ଼ି ରଖିଲା ବେଳେ ବିଘ୍ନରାଜ ତାଙ୍କୁ ପଇସା ମାଗିଥିଲେ। କିନ୍ତୁ ସେହି ଯୁବକମାନେ ପଇସା ଦେବାକୁ ମନା କରିଦେଇଥିଲେ। ଏହାକୁ କେନ୍ଦ୍ର କରି ସେମାନଙ୍କ ମଧ୍ୟରେ ବଚ୍ସା ହୋଇଥିଲା। ପାଟିତୁଣ୍ଡ ବଢ଼ି ଗୋଷ୍ଠୀ ସଂଘର୍ଷରେ ପରିଣତ ହୋଇଥିଲା ଏବଂ ସେମାନେ ମିଶି ବିଘ୍ନରାଜଙ୍କୁ ପିଟିଥିଲେ। ପରେ ବିଘ୍ନରାଜ ଛତ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଆଧାରରେ ଥାନାରେ ୩୧୩/୨୦୨୬ ରେ ଏକ ମାମଲା ରୁଜୁ କରି ଥାନାଧିକାରୀ ମଲ୍ଲ ତଦନ୍ତ ଆରମ୍ଭ କରିଥିଲେ। ଅଭିଯୁକ୍ତଙ୍କୁ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।