ଦିଗପହଣ୍ଡି,୧୨ା୧୧(ଅଶେଷ ନାଥ ମିଶ୍ର):ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଅଧିନ ବିଭିନ୍ନ ଗ୍ରାମରେ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଚାଲିଥିବା ଠିକାକାମକୁ ନେଇ ଦୀର୍ଘଦିନ ଧରି ଭାଜପା ସମର୍ଥିତ ୨ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ବାଦ ବିବାଦ ୫ ତାରିଖ ସକାଳେ ହିଂସାକାଣ୍ଡର ରୂପ ନେଇଥିଲା। ସହଦେବ ଟିକରପଡ଼ା ଗାଁରେ ଉଭୟ ଗୋଷ୍ଠୀର ଆକ୍ରମଣ ପ୍ରତିଆକ୍ରମଣରେ ଏକାଧିକ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ। ଏନେଇ ଉଭୟପକ୍ଷଙ୍କ ଏତଲା କ୍ରମେ କେ.ନୂଆଗାଁ ଆଇଆଇସି କିଶୋର କୁମାର ସାମଲ ନଂ.୩୮୩/୨୫ ଏବଂ ୩୮୪/୨୫ ଅନୁଯାୟୀ ପୃଥକ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ। ବୁଧବାର ଏହି ଘଟଣାରେ ସମ୍ପୃକ୍ତ ସରପଞ୍ଚ ପ୍ରିୟଙ୍କା ନାୟକଙ୍କ ସ୍ବାମୀ ଶ୍ୟାମ ନାୟକ ଏବଂ ତାଙ୍କ ବିପକ୍ଷ ଗୋଷ୍ଠୀର କାଳୁ ଗୌଡ଼ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ଆବେଦନ ଖାରଜ ହେବାରୁ ଉଭୟ ଅଭିଯୁକ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗତ ପଞ୍ଚାୟତ ନିର୍ବାଚନ ପରେ ଗ୍ରାମାଞ୍ଚଳର ସମସ୍ତ ଉନ୍ନୟନ କାମ ଏମଜିଏନଆରଇଜିଏସ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ସରପଞ୍ଚଙ୍କ ସମର୍ଥକ ମାନେ ସେସବୁ କାମ ତଦାରଖ କରୁଥିଲେ। ପୂର୍ବତନ ସମିତି ସଭ୍ୟ ମନୋଜଙ୍କ ସମର୍ଥକ ମାନେ କାମ ନପାଇବାରୁ ସେ କ୍ଷୁବ୍ଧ ହୋଇପଡ଼ିଥିଲେ। ଏହାକୁ ନେଇ ଦୁଇ ପ୍ରତିପକ୍ଷ ଗୋଷ୍ଠୀଙ୍କ ମଧ୍ୟରେ ଶତ୍ରୁତା ଆରମ୍ଭ ହୋଇଯାଇଥିଲା। ଘଟଣା ଦିନ ମନୋଜ ସହଦେବ ଟିକରପଡ଼ା ଗ୍ରାମ ଶ୍ରୀ ଗୋକର୍ଣ୍ଣେଶ୍ୱର ଶୈବପୀଠ ବିଧାୟକଙ୍କ ହାତପାଣ୍ଠିରୁ ପ୍ରଦତ୍ତ ୨ ଲକ୍ଷ ଟଙ୍କା ବ୍ୟୟରେ ସରିଥିବା ନିର୍ମାଣ କାର୍ଯ୍ୟ ଗୁଡ଼ିକର ଫଟୋ ଉଠାଇଥିଲେ। ସରପଞ୍ଚଙ୍କ ସମର୍ଥକ ମାନେ କାହିଁକି ଫଟୋ ଉଠାଉଛ କହି ତାଙ୍କୁ ଗାଳି ଗୁଲଜ କରିଥଲେ। ମନୋଜ ସେଠାରୁ ଯାଇ କାଳୁଙ୍କ ଦୋକାନ ସମ୍ମୁଖରେ ବସିଥିଲେ। ସରପଞ୍ଚ ଙ୍କ ସ୍ବାମୀ ସେଠାକୁ ଯାଇ ପଚାରିବାରୁ ତାଙ୍କୁ ମନୋଜ ଏବଂ ତାଙ୍କ ସମର୍ଥକ ମାନେ ସଂଘବଦ୍ଧ ଆକ୍ରମଣ କରିଥିଲେ।


