ଖଜୁରିପଡ଼ା ୨୧ା୬( ବିଦୁର ବେହେରା): ଖଜୁରିପଡା ବ୍ଲକ୍ ଅନ୍ତର୍ଗତ ବିଲାବାଡ଼ି ପଞ୍ଚାୟତର ୪ ଗାଁକୁ ବର୍ଷା ହେଲେ ଯିବା ଆସିବା ପାଇଁ ଅନେକ ସମସ୍ୟା ଭୋଗିବାକୁ ହୁଏ। ୨୦୦୮ରେ ଡୁଗୁଡ଼ାଠାରେ ଥିବା ପୋଲ ଭାଙ୍ଗି ଯିବା ପରେ ବର୍ଷା ଦିନେ କିଲୁ, ଡୁଗୁଡ଼ା, ଖଲି ସାହି, ମହାପାତ୍ର ବସାକୁ ଯାତାୟାତରେ ଅନେକ ସମସ୍ୟା ଦେଖା ଦେଉଛି। ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଉଛି ୪ ଗାଁ। କାହାର ଦେହ ଅସୁସ୍ଥ ହେଲେ ଆମ୍ବୁଲାନ୍ସ ଗାଁ ପର୍ଯ୍ୟନ୍ତ ପହଞ୍ଚି ପାରୁନାହିଁ। ରାସ୍ତା ସମସ୍ୟା ଯୋଗୁ ଏଠିକାର ବାସିନ୍ଦାମାନେ ଏକ ପ୍ରକାର ବନବାସୀ ଜୀବନ କାଟୁଛନ୍ତି। ପୋଲ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ସରପଞ୍ଚ ରବୀନ୍ଦ୍ର ଭୁକ୍ତା ଅନେକ ଥର ବିଡ଼ିଓ, ଜିଲାପାଳଙ୍କୁ ଜଣାଇଛନ୍ତି। କିନ୍ତୁ ବଡ଼ ଦୁଃଖ ଓ ପରିତାପର ବିଷୟ ଯେ ଏ ପର୍ଯ୍ୟନ୍ତ ଭଙ୍ଗା ପୋଲ ନିର୍ମାଣ ହୋଇ ପାରୁନାହିଁ। ଏନେଇ ସରପଞ୍ଚଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ପୋଲ ନିର୍ମାଣ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବ ତାହା ପଞ୍ଚାୟତ ପାଣ୍ଠିରୁ କରିବା ସମ୍ଭବ ହେଉ ନାହିଁ। ତେଣୁ ବ୍ଲକ୍ ପ୍ରଶାସନ ଓ ଜିଲା ପ୍ରଶାସନଙ୍କୁ ଜଣାଯାଇଛି। ପ୍ରକଳ୍ପ ଆସିଲେ ନିର୍ମାଣ କରାଯିବ।


