ଦାନାରୀଗୁଡ଼ା-ପୁକେର ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

ଲାଞ୍ଜିଗଡ଼,୨୯।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ପଞ୍ଚାୟତ ଦାନାରୀଗୁଡାଠାରୁ ପୁକେର ଗାଁକୁ ଯୋଗାଯୋଗ ବିଛିନ୍ନ ହେଇଯାଇଛି। ଦାନାରୀଗୁଡାଠାରୁ ପୁକେର ଗାଁକୁ ସଂଯୋଗ କରୁଥିବା ଆର୍‌ଡି ରାସ୍ତା ଓ ଗାର୍ଡୱାଲ କାମ ନିମ୍ନମାନର ହୋଇଥିବାରୁ ନିର୍ମାଣର ଏକ ମାସ ମଧ୍ୟରେ ରାସ୍ତାରୁ ଚିପ୍ସ ଉଠିଯାଉଥିବା ବେଳେ ଗାର୍ଡୱାଲ ମଧ୍ୟ ଭାଙ୍ଗି ଯାଇଥିଲା। ବର୍ତ୍ତମାନ ତାହା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଥିବା ପୁକେର ଗାଁ ଲୋକେ ଅଭିଯୋଗ କରିଥିଲେ। ଦାୟିତ୍ୱରେ ଥିବା ଅଧିକାରୀ କର୍ଣ୍ଣପାତ କରି ନ ଥିଲେ। ଫଳରେ ଗାଁଠାରୁ ମୁଖ୍ୟ ରାସ୍ତା ଯୋଗାଯୋଗ ଏବେ ବିଚ୍ଛିନ୍ନ ହୋଇଯାଇଥିବା ବେଳେ ବିଜେପୁର ସରପଞ୍ଚ ଜନନୀ ମାଝିଙ୍କ ସମେତ ପୁକେର ଗାଁ ଲୋକେ ଜିଲାପାଳଙ୍କୁ ଅଭିଯୋଗ କରିଛନ୍ତି। ସୂଚନାମତେ, ଲାଞ୍ଜିଗଡ ବ୍ଲକ ବିଜେପୁର ପଞ୍ଚାୟତ ଦାନାରୀଗୁଡାଠାରୁ ପୁକେର ଗାଁ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା ନିର୍ମାଣ ପାଇଁ ୨୦୨୨ ମେ’ରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ୧ କି.ମି. ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଭବାନୀପାଟଣାର ଜଣେ ଠିକାଦାରଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଦାନାରୀଗୁଡା ଓ ପୁକେର ଗାଁକୁ ସଂଯୋଗ ଏହି ରାସ୍ତାର ମଧ୍ୟ ଭାଗରେ ଦୁଇ ପାର୍ଶରେ ଗାର୍ଡୱାଲ ନିର୍ମାଣ ସହିତ ୫ ଶହ ମିଟର ପିଚୁ କାମ ମଧ୍ୟ ହୋଇଥିଲା। କିନ୍ତୁ ରାସ୍ତା ଓ ଗାର୍ଡୱାଲ ନିମ୍ନମାନର ହୋଇଥିବା ବିଭାଗୀୟ ଯନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କର୍ଣ୍ଣପାତ କରି ନ ଥିବା ଗାଁ ଲୋକେ କହିଛନ୍ତି। ପ୍ରଶାସନିକ ଅଧିକାରୀ ଓ ଠିକାଦାରଙ୍କ ଅବହେଳା ଯୋଗୁ ଉକ୍ତ କାମ ପ୍ରତି ଦୃଷ୍ଟି ନ ଦେବାରୁ ମାତ୍ର ୧୧ ମାସ ପରେ ରାସ୍ତାରେ ଘାଇ ସୃଷ୍ଟି ହୋଇ ଗାଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଫଳରେ ଛାତ୍ରୀଛାତ୍ର, ରୋଗୀ, ଆମ୍ବୁଲାନ୍ସ ଉକ୍ତ ଗାଁକୁ ଯିବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏ ନେଇ ଗତ ୨୪ ତାରିଖରେ ଲାଞ୍ଜିଗଡ ବ୍ଲକରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ସରପଞ୍ଚ ଜନନୀ ମାଝିଙ୍କ ସମେତ ଗାଁ ଲୋକେ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ସରପଞ୍ଚ ଜନନୀ ମାଝିଙ୍କୁ ପଚାରିବାରୁ ନିମ୍ନମାନର କାମ ଯୋଗୁ ବର୍ତ୍ତମାନ ପୁକେର ଗାଁ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ମୁଁ ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିଛି ବୋଲି ପ୍ରକାଶ କରିଛନ୍ତି। ଦୁର୍ଗମ ଅଞ୍ଚଳକୁ ମାଓବାଦୀ ଭୟ ଯୋଗୁ ଜିଲାସ୍ତରୀୟ ଅଧିକାରୀ ଓ ନିର୍ବାଚନ ପ୍ରତିନିଧିମାନେ ଠିକ ଭାବେ ଉକ୍ତ ଅଞ୍ଚଳ ଯାଉ ନାହାନ୍ତି। ଏଥିପ୍ରତି ଜିଲାପାଳ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।