ଲଗାଣ ବର୍ଷାରେ ଧୋଇଗଲା ପୋଲ, ୧୦ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

କୋଟଗଡ଼,୧୫ା୯(ସରୋଜ ବଳିୟାରସିଂ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ କୁର୍ତ୍ତମଗଡ଼ଠାରୁ କରକୁଡୁପା ଭାୟା ଡାଙ୍ଗେସିଗୁଡ଼ାକୁ ସଂଯୋଗ କରୁଥିବା ରାସ୍ତାରେ ଥିବା ଅସ୍ଥାୟୀ ପୋଲ ଧୋଇ ହୋଇଯାଇଛି। ଫଳରେ ୧୦ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପୂର୍ବରୁ ମଧ୍ୟ ଲଗାଣ ବର୍ଷାରେ ଏହି ଅସ୍ଥାୟୀ ପୋଲଟି ଧୋଇ ହୋଇଯାଇଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବାଲି ବସ୍ତା ଓ ହ୍ୟୁମ୍‌ପାଇପ୍‌ ପକା ଯାଇ ମରାମତି କରାଯାଇଥିଲା। ଆଉ ଏବେ ପୁଣି ଥରେ ଅସ୍ଥାୟୀ ପୋଲ ଭାସି ଯିବା ପରେ କୁର୍ତ୍ତମଗଡ଼ଠାରୁ କରକୁଡୁପା ପଞ୍ଚାୟତର ଡାଙ୍ଗେସିଗୁଡ଼ା, ସିନ୍ଧିପାଙ୍କାଳ, ଗୁଗୁଡ଼ି, ବଲକି, କପିବିରା, ତଗପଦର ଗାଁ ଲୋକେ ଯିବା ଆସିବାରେ ଅନେକ ସମସ୍ୟା ଭୋଗୁଛନ୍ତି। କନ୍ଧମାଳ ଜିଲାରେ ଦୁଇ ଦିନ ଧରି ଲଗାଣ ବର୍ଷା ହୋଇଥିବାରୁ ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି।