Categories: ଜାତୀୟ

ସାମ୍ପ୍ରଦାୟିକ ରାଜନୀତି ଦେଶ ପାଇଁ ବଡ଼ ବିପଦ

ବେଙ୍ଗାଲୁରୁ,୨୮ା୫: ବଂଶବାଦ ରାଜନୀତି ଅପେକ୍ଷା ସାମ୍ପ୍ରଦାୟିକ ରାଜନୀତି ଭାରତର ଭବିଷ୍ୟତ ଲାଗି ସବୁଠୁ ବଡ଼ ବିପଦ ବୋଲି କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ୍‌ ନେତା ଏଚ୍‌.ଡି. କୁମାରସ୍ବାମୀ ଶୁକ୍ରବାର କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ହାଇଦ୍ରାବାଦରେ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବା ଅବସରରେ ଦଳରେ ବଂଶବାଦ ଜାତୀୟ ସ୍ବାର୍ଥ ବିରୋଧୀ ବୋଲି ସତର୍କ କରାଇଥିଲେ। ଏହାର ଜବାବରେ କୁମାରସ୍ବାମୀ ଉପରୋକ୍ତ ମତ ରଖିଛନ୍ତି। କଂଗ୍ରେସ ଦୁର୍ବଳ ହେବା ପରେ ଏବେ ଆଞ୍ଚଳିକ ଦଳଗୁଡ଼ିକ ଭାଜପାର ସାମ୍ପ୍ରଦାୟିକ ରାଜନୀତିର ପ୍ରତିରୋଧ କରିବାରେ ମୁଖ୍ୟ ଭୂମିକା ନେବାକୁ ଯାଉଛନ୍ତି। ତେଣୁ ପ୍ରଧାନମନ୍ତ୍ରୀ ବଂଶବାଦ ରାଜନୀତି ଉପରେ ଆକ୍ରମଣ କରି ପରୋକ୍ଷରେ ଦେଶର ଆଞ୍ଚଳିକ ଦଳଗୁଡ଼ିକୁ ଦୁର୍ବଳ କରିବା ଲାଗି ଉଦ୍ୟମ କରୁଥିବା କୁମାରସ୍ବାମୀ ସୋସିଆଲ ମିଡିଆ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି। କ୍ଷମତା ଦଖଲ କରିବା ଲାଗି ରାଜନୈତିକ ଦଳଗୁଡ଼ିକ ଭାବାତ୍ମକ ପ୍ରସଙ୍ଗ ଉଠାଉଛନ୍ତି, ଯାହା ବାସ୍ତବରେ ଗଣତନ୍ତ୍ର ଓ ସାମ୍ବିଧାନିକ ମୂଲ୍ୟବୋଧ ପ୍ରତି ବିପଦ ବୋଲି କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ଗୁରୁବାର ତେଲଙ୍ଗାନା ଗସ୍ତରେ ଯାଇ ସେଠାର ଶାସକ ଦଳ ଟିଆର୍‌ଏସ୍‌ ଏବଂ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଟାର୍ଗେଟ କରିଥିଲେ। ଯେଉଁଠି ବଂଶବାଦ ରାଜନୀତି ବନ୍ଦ ହୋଇଛି, ସେଠାରେ ବିକାଶ ଓ ଅଭିବୃଦ୍ଧି ହୋଇଛି। ପରିବାର ରାଜନୀତି ଗଣତନ୍ତ୍ର ପାଇଁ ବିପଦ। ପରିବାରୀ ଦଳ କ୍ଷମତାକୁ ଆସିବା ପରେ କ୍ଷମତାରେ ଲିପ୍ତ ହୋଇଯାଆନ୍ତି। ଦୀର୍ଘଦିନ ପର୍ଯ୍ୟନ୍ତ କ୍ଷମତା ଜାବୁଡ଼ି ଧରିବାକୁ ସେମାନେ ଚାହାନ୍ତି ବୋଲି ମୋଦି କହିଥିଲେ।

Share