Categories: ଜାତୀୟ

ରାମ ନବମୀ ଶୋଭାଯାତ୍ରା: ୪ ରାଜ୍ୟରେ ହିଂସାକାଣ୍ଡ

ନୂଆଦିଲ୍ଲୀ,୧୧।୪: ରବିବାର ରାମ ନବମୀ ଶୋଭାଯାତ୍ର ବେଳେ ଗୁଜରାଟ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ଏବଂ ଝାଡ଼ଖଣ୍ଡ ରାଜ୍ୟରେ ହିଂସାକାଣ୍ଡ ଘଟିଛି। ଏପରିକି ଘଟଣାସ୍ଥଳରେ ପୋଡାଜଳା ସହ ପଥର ମାଡ଼ ହୋଇଛି। ଗୁଜରାଟରେ ହିଂସାକାଣ୍ଡ ଉର୍ଗରୂପ ନେଇଥିବା ବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏନେଇ ଅଞ୍ଚଳରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି।

ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ, ରବିବାର ପବିତ୍ର ରାମ ନବମୀ ଅବସରରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଶୋଭାଯାତ୍ରା ବାହାରି ଥିଲା। ହେଲେ ମଧ୍ୟପ୍ରଦେଶର ଖାର୍ଗୋନ ଅଞ୍ଚଳରେ ହିଂସାକାଣ୍ଡ ଘଟିଛି। ଏନେଇ ପୋଲିସ ପ୍ରଶାସନ ପକ୍ଷରୁ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି।

ସେହିପରି ଗୁଜୁରାଟର ଆନନ୍ଦ ଜିଲା ଅଧୀନ ଖମ୍ବତ ଏବଂ ସାବରକାନ୍ତ ଜିଲାର ହିମଟନଗରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଉଭୟ ସ୍ଥାନରେ ପଥର ମାଡ଼ ସାଙ୍ଗକୁ ପୋଡାଜଳା ଘଟିଥିବାର ସୂଚନା ମିଳିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲୁହବୁହା ଗୁଳି ଚଳାଇଥିଲା। ଖମ୍ଭତ ହିଂସାକାଣ୍ଡରେ ଜଣେ ୬୦ ବର୍ଷ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି।

ଅନ୍ୟପକ୍ଷେ ପଶ୍ଚିମବଙ୍ଗର ଶିବପୁର ଅଞ୍ଚଳରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ରାମ ନବମୀ ଶୋଭାଯାତ୍ରା ବାହାର କରାଯାଇଥିଲା। ସେତିକିବେଳେ ମାରପିଟ ସହ ପଥରମାଡରେ ଅନେକ ଆହତ ହୋଇଛନ୍ତି। ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଅନ୍ୟପକ୍ଷେ ଶୋଭାଯାତ୍ରାରେ ପୋଲିସ ଜନତାଙ୍କୁ ଆକ୍ରମଣ କରିଥିବା ଭାଜପା ପକ୍ଷରୁ ଅଭିଯୋଗ ହୋଇଛି। ଏହି ଘଟଣାକୁ ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିକାରୀ ବିଧାନସଭାର ଉଠାଇବେ ବୋଲି କହିଛନ୍ତି।

ଏପରିକି ଝାଡଖଣ୍ଡ ଲୋହାଡାଗା ଅଞ୍ଚଳରେ ମଧ୍ୟ ରାମ ନବମୀ ଶୋଭାଯାତ୍ରା ବେଳେ ଟେକାପଥର ମାଡ଼ ହୋଇଛି। ଏଥିରେ ୩ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି।

Share