Categories: ଖେଳ

ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ରାଜ୍ୟଗୋଷ୍ଠୀ କ୍ରୀଡା ଆରମ୍ଭ

ବର୍ମିଂହାମ,୨୯ା୭: ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ଆରମ୍ଭ ହୋଇଛି। ୭୨ଟି ଦେଶର ଆଥଲେଟ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଥିବା ବେଳେ ଆଲେକଜାଣ୍ଡାର ଷ୍ଟାଡିୟମରେ ଅନୁଷ୍ଠିତ ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ପ୍ରିନ୍ସ ଚାଲର୍‌ସ। ଏହି କାର୍ଯ୍ୟକ୍ରମରେ ୩୦ ହଜାରରୁ ଅଧିକ ଦର୍ଶକ ଯୋଗ ଦେଇଥିବା ବେଳେ ଡ୍ରମର ଆବ୍ରାହାମ ପ୍ୟାଡି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଗାଉଥିବା ରଞ୍ଜନା ଘଟକ ପ୍ରଥମେ ସଙ୍ଗୀତ ପରିବେଶଣ କରିଥିଲେ। ୧୫ଟି ଭେନ୍ୟୁରେ ୧୧ ଦିନ ବ୍ୟାପୀ ଏହି ଖେଳ ଖେଳାଯିବାକୁ ଥିବା ବେଳେ ୨୮୦ଟି ମେଡାଲ ପାଇଁ ପ୍ରତିଦ୍ୱନ୍ଦିତା କରିବେ ୫ ହଜାରରୁ ଅଧିକ ଆଥଲେଟ। ୧୯ କ୍ରୀଡାର ୧୩୬ ବର୍ଗରେ ମହିଳା ଏବଂ ୧୩୪ ବର୍ଗରେ ପୁରୁଷ ମାନେ ପ୍ରତିଦ୍ୱନ୍ଦିତା କରିବେ। ଏହା ସହିତ ୧୦ଟି ବର୍ଗରେ ମିକ୍ସଡ ଟିମ୍‌ ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳିବ। ବର୍ତ୍ତମାନ ସୁଦ୍ଧା ୬୧ରାଷ୍ଟ୍ର ପଦକ ହାସଲ କରିଛନ୍ତି।
୨୦ ବର୍ଷ ପରେ ୟୁକେ ଏହି ଇଭେଣ୍ଟ ଆୟୋଜନ କରିଛି। ଦୁଇ ଥର ଅଲିମ୍ପିକ ପଦକ ବଜୟିନୀ ପିଭି ସିନ୍ଧୁ ଏବଂ ହକି ଦଳର ଅଧିନାୟକ ମନପ୍ରୀତ୍‌ ସିଂ ମାର୍ଚ୍ଚପୋଷ୍ଟରେ ଭାରତର ନେତୃତ୍ୱ ନେଇଥିଲେ। ଉଦ୍‌ଘାଟନୀ ଉତ୍ସବ କାର୍ଯ୍ୟକ୍ରମ ପ୍ରାୟ ଅଢେଇ ଘଣ୍ଟା ଧରି ଚାଲିଥିଲା। ଅଶୀ ଦଶକର ପ୍ରସିଦ୍ଧ ବ୍ୟାଣ୍ଡ ଡୁରାନ୍‌ ଡୁରାନ୍‌ ଉଦ୍‌ଘାଟନୀ ଉତ୍ସବରେ ପ୍ରଦର୍ଶନ କରିଥିଲା। ଉଲ୍ଲେଖଯୋଗ୍ୟ ଯେ, ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟରେ ଅନୁଷ୍ଠିତ ୨୦୧୮ ସଂସ୍କରଣର ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ୬୬ଟି ପଦକ ବିଜୟୀ ହୋଇଥିଲା।

Share