୪ଫୁଟ ଉଚ୍ଚ ମୂର୍ତ୍ତି ନିର୍ମାଣ ପାଇଁ ୯୩ ପ୍ରତିଶତ ପୂଜା କମିଟି ରାଜି

କଟକ ଅଫିସ୍‌,୧୮ା୯: ଦଶହରା ପାଇଁ ଦେବୀଙ୍କ ମୃଣ୍ମୟ ମୂର୍ତ୍ତି ଉଚ୍ଚତାକୁ ନେଇ ହାଇକୋର୍ଟରେ ହୋଇଥିବା ମାମଲାକୁ ଆଧାର କରି ପୋଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ ଗୁରୁବାର ଆଡ୍‌ଭୋକେଟ ଜେନେରାଲଙ୍କ ନିକଟରେ ଜବାବ ଦାଖଲ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ସହରର ୯୩ ପ୍ରତିଶତ ପୂଜା କମିଟି ସ୍ବତନ୍ତ୍ର ରିଲିଫ କମିଶନର (ଏସ୍‌ଆରସି)ଙ୍କ ଗାଇଡ୍‌ଲାଇନ ପାଳନ ସହ ୪ଫୁଟ ଉଚ୍ଚର ମୂର୍ତ୍ତି ନିର୍ମାଣ ପାଇଁ ରାଜି ଅଛନ୍ତି। ଏବେ ସୁଦ୍ଧା ୧୪୨ଟି ପୂଜା ମଣ୍ଡପରେ ମୂର୍ତ୍ତି ନିର୍ମାଣ ହୋଇନାହିଁ। ୭ଟି ମଣ୍ଡପ ପ୍ରାୟ ୫ଫୁଟର ଓ ୨ଟି ମଣ୍ଡପ ୫ଫୁଟରୁ ଅଧିକ ଉଚ୍ଚର ମୂର୍ତ୍ତି ନିର୍ମାଣ କରିଛନ୍ତି। ଏହାଛଡ଼ା କମିଶନର ଦର୍ଶାଇଛନ୍ତି, ଖଡ଼ିଧରା ଆମାବାସ୍ୟା ପୂର୍ବରୁ ମୂର୍ତ୍ତି ନିର୍ମାଣ ହେବା ଆବଶ୍ୟକ ବୋଲି ଆବେଦନକାରୀମାନେ ଯୁକ୍ତି ରଖିଥିଲେ। ଏ ସଂକ୍ରାନ୍ତରେ ପୂଜକ ଓ ମୂର୍ତ୍ତି କାରିଗରଙ୍କ ସହ ଆଲୋଚନା କରାଯାଇଛି। ୩ଜଣ ମଧ୍ୟ ଏଥିରେ ପକ୍ଷଭୁକ୍ତ ହୋଇଛନ୍ତି। ବେଲବରଣୀ ଓ ପ୍ରାଣପ୍ରତିଷ୍ଠା ପର୍ଯ୍ୟନ୍ତ ମୂର୍ତ୍ତି ନିର୍ମାଣ ହୋଇ ପାରିବ। ଆବଶ୍ୟକସ୍ଥଳେ ମୂର୍ତ୍ତି ଆକାରରେ ପରିବର୍ତ୍ତନ କରାଯାଇ ପାରିବ ବୋଲି କମିଶନର ଦାଖଲ କରିଥିବା ପତ୍ରରେ ଉଲ୍ଲେଖ ହୋଇଛି। ଏଣୁ ଏସ୍‌ଆର୍‌ସିଙ୍କ ଦ୍ୱାରା ଜାରି ଗାଇଡ୍‌ଲାଇନ୍‌ ପାଳନ କରିବାକୁ କମିଶନର ଯୁକ୍ତି ରଖିଛନ୍ତି।