କମିଶନର-କର୍ପୋରେଟର ବିବାଦ ସମାଧାନ ହେବ

କଟକ ଅଫିସ,୩୦ା୧୨: କଟକର ଏକ ଘରୋଇ ହୋଟେଲରେ ସିଏମ୍‌ସିର ବିଜେଡି କର୍ପୋରେଟରମାନଙ୍କୁ ନେଇ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ଜାନୁୟାରୀ ୧୧ରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ଉତ୍ସବକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଆଲୋଚନା ହୋଇଥିଲା। ଅପରପକ୍ଷରେ କିଛିଦିନ ହେବ ସିଏମ୍‌ସି କମିଶନର ଓ କର୍ପୋରେଟରଙ୍କ ମଧ୍ୟରେ ବିବାଦ ଲାଗି ରହିଥିବାରୁ କାଉନ୍‌ସିଲ ବୈଠକ ହୋଇପାରୁ ନ ଥିଲା, ଯାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା ଏହି ବିବାଦର ସମାଧାନ ପାଇଁ ବିଜେଡିର ସାଙ୍ଗଠନିକ ସମ୍ପାଦକ ତଥା ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ ଉକ୍ତ ବୈଠକ ଡାକିଥିଲେ। କାଉନ୍‌ସିଲ ବୈଠକ କର୍ପୋରେଟରମାନେ ସହଯୋଗ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିରେ ବିଜେଡି ଜିଲା ସଭାପତି ଦେବାଶିଷ ସାମନ୍ତରାୟ ଯୋଗଦେଇ କହିଥିଲେ, କମିଶନର ଓ କର୍ପୋରେଟରଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ କରାଯିବ। ପ୍ରଣବଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ଉତ୍ସବ ସମ୍ପର୍କରେ ଆଲୋଚନା ହୋଇଥିଲା। ବିଜୁବାବୁଙ୍କ ଜନ୍ମମାଟିରେ ଏଭଳି କାର୍ଯ୍ୟକ୍ରମ ଆୟୋଜନକୁ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି ବୈଠକ ମେୟର ସୁବାସ ସିଂ,ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ, କଟକ ସଦର ବିଧାୟକ ଚନ୍ଦ୍ରସାରଥି ବେହେରା ପ୍ରମୁଖ ଉପସ୍ଥିତ ଥିଲେ।