ଓଡ଼ିଶାରେ ଦେଖାଦେଲା ଧୂମକେତୁ

ଭୁବନେଶ୍ୱର, ୨୫ା୧(ବ୍ୟୁରୋ): ରାଜ୍ୟର କେତେକ ସ୍ଥାନରେ ଧୂମକେତୁ ଦେଖାଗଲାଣି, ଯାହାର ନାମ ହେଉଛି ‘ସି/୨୦୨୨ ଇ-୩’। ଗତ ୨୧ରୁ ୨୩ ତାରିଖ ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ରାତି ଆକାଶରେ ଏହି ଧୂମକେତୁକୁ ସାଧାରଣ ଦୂରବୀକ୍ଷଣ ଓ ବାଇନାକୁଲାରରେ ଲୋକେ ଦେଖିଛନ୍ତି। ଭୁବନେଶ୍ୱରରେ ୨୨ ଓ ୨୩ ତାରିଖରେ ଏହାକୁ ବାଇନାକୁଲାରରେ ପଠାଣି ସାମନ୍ତ ପ୍ଲାନେଟାରିୟମର କେତେଜଣ କର୍ମଚାରୀ ଦେଖିଥିବାବେଳେ ରାଜ୍ୟର ଅନ୍ୟ କେତେକ ସ୍ଥାନରେ ମଧ୍ୟ ଦେଖାଯାଇଥିବା ସୂଚନା ମିଳିଛି। ଗତ ୨୨ରେ ଜୟପୁରରୁ ମଳୟ ପାତ୍ର ଏବଂ ୨୩ ତାରିଖରେ ଭୁବନେଶ୍ୱରରୁ ରାକେଶ ରାଉଳ ଏହାର ଫଟୋ ଉତ୍ତୋଳନ କରିଛନ୍ତି।
ଏ ସମ୍ପର୍କରେ ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମର ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, ଉତ୍ତର-ପୂର୍ବ ଦିଗ୍‌ବଳୟ ମେଘ, ଧୂଳି ଓ ସହର ଆଲୋକରୁ ମୁକ୍ତ ରହିଲେ ଧୂମକେତୁଟି ଆସନ୍ତା ୩୦ ତାରିଖରୁ ଫେବୃୟାରୀ ୨ତାରିଖ ଯାଏ ଖାଲି ଆଖିରେ ଦେଖିହେବ। ଦୀର୍ଘ ୨୩ବର୍ଷ ପରେ ଖାଲି ଆଖିରେ ଏକ ଧୂମକେତୁ ଦେଖିବାର ବିରଳ ସୁଯୋଗ ଆସିଛି। ବିଶେଷକରି ସହର ଆଲୋକଠାରୁ ଦୂରରେ ଗ୍ରାମାଞ୍ଚଳରେ ରହୁଥିବା ଛାତ୍ରୀଛାତ୍ର ଏପରି ଏକ ବିରଳ ସୁଯୋଗ ହାତଛଡ଼ା କରନ୍ତୁ ନାହିଁ ବୋଲି ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଫେବୃୟାରୀ ୧ରେ ପ୍ରାୟ ୪.୨ କୋଟି କିଲୋମିଟର ଦୂରତାରେ ଏହା ପୃଥିବୀର ନିକଟତମ ଅବସ୍ଥାକୁ ଆସିବ। ଜାନୁୟାରୀ ୩୦ରୁ ଫେବୃୟାରୀ ୨ ପର୍ଯ୍ୟନ୍ତ ଧୂମକେତୁ ଦେଖିବାର ଉତ୍କୃଷ୍ଟ ସମୟ। ୩୦ ତାରିଖ ସନ୍ଧ୍ୟା ୭ଟା ୩୦ରେ ଉତ୍ତର-ପୂର୍ବ ଦିଗ୍‌ବଳୟର ପ୍ରାୟ ୨୦ଡିଗ୍ରୀ ଉପରେ ଏହା ଠିକ୍‌ ସପ୍ତର୍ଷିମଣ୍ଡଳ ଓ ଧ୍ରୁବ ତାରା ମଝିରେ ଦେଖାଯିବ। ପରେ ଧୀରେ ଧୀରେ ଉପର ଆଡ଼କୁ ଏକ ଘଣ୍ଟାରେ ପ୍ରାୟ ୧୫ଡିଗ୍ରୀ ହିସାବରେ ଗତି କରି ସାରା ରାତି ଖାଲି ଆଖିରେ ଦେଖାଯାଇପାରେ। ପରବର୍ତ୍ତୀ ଦିନଗୁଡ଼ିକରେ ଏକା ସମୟ ଅର୍ଥାତ୍‌ ସନ୍ଧ୍ୟା ୭ଟା ୩୦ରେ ପୂର୍ବଦିନଠାରୁ ପ୍ରାୟ ୫ଡିଗ୍ରୀ ଉପରେ ଦେଖାଯିବ ଓ ପୂର୍ବଦିନ ତୁଳନାରେ ଅସ୍ତ ହେବାକୁ ୫ରୁ ୧୦ମିନିଟ୍‌ କମ୍‌ ସମୟ ନେବ। ଏହିପରି ଦିନ ପରେ ଦିନ ଧୀରେ ଧୀରେ ଏହା ଉପରୁ ଉପରକୁ ଦେଖାଯିବ। ଧୂମକେତୁଟି ସୂର୍ଯ୍ୟଠାରୁ ଦୂରେଇ ଯାଉଥିବା ଫଳରେ ଏହାର ଉଜ୍ଜ୍ୱଳତା କମି କମି ୩ ତାରିଖ ପରେ ଏହାକୁ ଖାଲି ଆଖିରେ ଦେଖିବା ସମ୍ଭବ ହେବନାହିଁ। ଏହି ଧୂମକେତୁଟି ପୁଣି ଆଉଥରେ ଆମ ପାଖକୁ ୫୦ହଜାର ବର୍ଷ ପରେ ଆସିବ। ସୂଚନାଯୋଗ୍ୟ, ଧୂମକେତୁଟି ଖାଲି ଆଖିରେ ଏକ ତାରା ଓ ତାକୁ ଲାଗିରହିଥିବା ଝାପ୍‌ସା ମେଘ ଭଳିଆ ଖୁବ୍‌ ଛୋଟ ଲାଞ୍ଜଟିଏ ପରି ଦେଖାଯିବ। ବିଭିନ୍ନ ଫଟୋ ବା ଟିଭିରେ ଦେଖାଯାଉଥିବା ଚିତ୍ର ଭଳି ଏହା ଏତେ ବଡ଼ ଓ ଉଜ୍ଜ୍ୱଳ କେବେ ବି ଖାଲି ଆଖିରେ ଦେଖାଯିବ ନାହିଁ। ବିଭିନ୍ନ ଗଣମାଧ୍ୟମରେ ଆସୁଥିବା ଚିତ୍ରଗୁଡ଼ିକ ଦୂରବୀକ୍ଷଣରେ ନିଆଯାଇଥାଏ ବୋଲି ପଟ୍ଟନାୟକ କହିଛନ୍ତି।