ଗୁରୁବାର ଦିଲ୍ଲୀରେ ହେବ ରାଜୁଙ୍କ ଶେଷକୃତ୍ୟ

ନୂଆଦିଲ୍ଲୀ,୨୧।୯: ଲୋକପ୍ରିୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ବୁଧବାର ପରଲୋକ ଘଟିଛି। ସବୁବେଳେ ହସାଉଥିବା ବ୍ୟକ୍ତି ଆଜି ସମସ୍ତଙ୍କୁ କନ୍ଦାଇ ନିଜେ ଚିରନିଦ୍ରାରେ। ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରାଜୁ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଅଗଷ୍ଟ ୧୦ରେ ରାଜୁଙ୍କ ହୃଦ୍‌ଘାତ ହେବା ପରଠାରୁ ସେ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ହେଲେ ବୁଧବାର ୫୮ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ବିୟୋଗରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଏସ୍‌ପି ଅଧ୍ୟକ୍ଷ ଅଖିଳେଶ ଯାଦବ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଫିଲ୍ମ ଇଣ୍ଡଷ୍ଟ୍ରିର କଳାକାରମାନେ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ଅନ୍ୟପଟେ ରାଜୁଙ୍କ ସ୍ତ୍ରୀ, ପୁଅ ଓ ଝିଅ ଦିଲ୍ଲୀ ଏମ୍ସରେ ପହଞ୍ଚିଛନ୍ତି। ଗୁରୁବାର ଦିଲ୍ଲୀରେ ରାଜୁଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ୧୯୬୩ ଡିସେମ୍ବର ୨୫ରେ ଉତ୍ତରପ୍ରଦେଶ କାନପୁରରେ ରାଜୁ ଶ୍ରୀବାସ୍ତବ ଜନ୍ମଗ୍ରହଣ କରିଥିଲେ। ପିଲାବେଳେ ତାଙ୍କ ନାମ ସତ୍ୟ ପ୍ରକାଶ ଶ୍ରୀବାସ୍ତବ। ଛୋଟବେଳୁ ତାଙ୍କର ମିମିକ୍ରି ଓ କମେଡି କରିବାର ଆଗ୍ରହ ରହିଥିଲା। ପପୁଲାର କମେଡି ଶୋ’ ‘ଦ ଗ୍ରେଟ ଇଣ୍ଡିଆନ ଲାଫଟର୍‌ ଚ୍ୟାଲେଞ୍ଜ’ରୁ ତାଙ୍କୁ ଏକ ନୂଆ ପରିଚୟ ମିଳିଥିଲା। ଏହାପରେ ରାଜୁ ଲୋକଙ୍କୁ ହସାଇ ମନଜିଣିବା ସହ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ୧୯୯୩ରେ ରାଜୁ ଶିଖା ଶ୍ରୀବାସ୍ତବଙ୍କୁ ବିବାହ କରିଥିଲେ। ତାଙ୍କର ୨ସନ୍ତାନ ଅଛନ୍ତି। ୨୦୧୯ରେ ରାଜୁଙ୍କୁ ଉତ୍ତରପ୍ରଦେଶ ଫିଲ୍ମ ବିକାଶ ପରିଷଦର ଅଧ୍ୟକ୍ଷ କରାଯାଇଥିଲା।

Share