ବେଲ୍‌ରେ ଆସି ବାହୁଡ଼ାରେ ସାମିଲ ହୋଇଥିଲେ ଗୋବିନ୍ଦ: ସାକ୍ଷ୍ୟ ପ୍ରମାଣ ପ୍ରଭାବିତ ସନ୍ଦେହ

ଭବାନୀପାଟଣା,୧୨।୭(ସ୍ବ.ପ୍ର): ବେଲ୍‌ରେ ଆସି ଗାଁ ବାହୁଡ଼ା ଯାତ୍ରାରେ ସାମିଲ ହେଲେ ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲା ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ। ସ୍ତ୍ରୀ ଓ ଝିଅର ଚିକିତ୍ସା ପାଇଁ ଗୋବିନ୍ଦଙ୍କୁ ଗତ ୮ ତାରିଖରେ ହାଇକୋର୍ଟ ୧୪ ଦିନିଆ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ହେଲେ ସେ ସାଧାରଣ ଲୋକଙ୍କ ପରି ଗାଁ ବାହୁଡାଯାତ୍ରାରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ଜଣେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସ୍ତ୍ରୀ ଓ ଝିଅର ଚିକିତ୍ସା ପାଇଁ ଜେଲ୍‌ରୁ ଜାମିନରେ ଆସି ବାହୁଡ଼ା ଯାତ୍ରାରେ ସାମିଲ ହୋଇପାରୁଛନ୍ତି ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଏପରି ଖୋଲାଖୋଲି ବୁଲାବୁଲି କରୁଥିବା ଅଭିଯୁକ୍ତ ସାକ୍ଷ୍ୟ ପ୍ରମାଣକୁ ପ୍ରଭାବିତ କରିବାକୁ ଚେଷ୍ଟା କରିବା ନେଇ ସନ୍ଦେହ ସୃଷ୍ଟି ହୋଇଛି।
ସୂଚନା ଯେ, ଗୋବିନ୍ଦ ୧୪ ଦିନର ଅନ୍ତରୀଣ ଜାମିନ ପାଇ ଗତ ୯ ତାରିଖରେ କଣ୍ଟାବାଞ୍ଜି ଜେଲରୁ ବାହାରିଥିବା ବେଳେ ଆସନ୍ତା ୨୨ ତାରିଖରେ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଆତ୍ମସମର୍ପଣ କରିବେ। କୋର୍ଟ ଗୋବିନ୍ଦଙ୍କୁ ୮ଟି ସର୍ତ୍ତ ଓ ୫୦ ହଜାରର ଦୁଇଟି ବଣ୍ଡ ବଳରେ ୧୪ ଦିନ ପାଇଁ ଜାମିନ ଦେଇଛନ୍ତି। ସେହିପରି କୋର୍ଟଙ୍କ ଜାମିନ ସର୍ତ୍ତ ଅନୁସାରେ ବିନା ଅନୁମତିରେ ସେ ନିଜ ଅଞ୍ଚଳ ଛାଡ଼ି ପାରିବେ ନାହିଁ। ସାକ୍ଷୀଙ୍କୁ ପ୍ରଭାବିତ କରିପାରିବେ ନାହିଁ କିମ୍ବା ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିବେନି। ପ୍ରତିଦିନ ସାରେ ସେ ଏହି ମାମଲାର ଆଇଓଙ୍କ ପାଖରେ ହାଜର ହେବେ। ଗଣମାଧ୍ୟମ ପ୍ରତିନିଧିଙ୍କୁ ସେ କୌଣସି ପ୍ରକାରର ପ୍ରତିକ୍ରିୟା ଦେଇପାରିବେ ନାହିଁ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି।

ସୂଚନାଯୋଗ୍ୟ, କଳାହାଣ୍ଡି ଜିଲା କେଗଁା ଥାନା ମହାଲିଙ୍ଗସ୍ଥିତ ଏକ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କୁ ହତ୍ୟା କରାଯାଇଥିଲା। ମମିତାଙ୍କୁ ମହାଲିଙ୍ଗ କଲେଜ ସଭାପତି ଗୋବିନ୍ଦ ସାହୁ ହତ୍ୟା କରି ଗାତରେ ପୋତି ଦେଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ସେ ଗିରଫ ହୋଇ ଜେଲ୍‌ରେ ଥିଲେ। ତେବେ ଗୋବିନ୍ଦ ସହିତ ତତ୍କାଳୀନ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପର୍କ ସାମ୍ନାକୁ ଆସିବା ପରେ ରାଜ୍ୟ ରାଜନୀତି ସରଗରମ୍‌ ହୋଇଥିଲା।