Categories: ଜାତୀୟ

ନମାଜ ପାଇଁ ଆସ, ଡେଟିଂ ମନା

ନୂଆଦିଲ୍ଲୀ,୨୫।୧୧:ଜାମା ମସ୍‌ଜିଦ ଉପାସନାର ସ୍ଥାନ ଏବଂ ଏଥିପାଇଁ ଲୋକଙ୍କୁ ସ୍ବାଗତ କରାଯାଉଛି। କିନ୍ତୁ ଯୁବତୀ/ମହିଳା ଏକୁଟିଆ ଆସି ଡେଟିଂ ପାଇଁ ଅପେକ୍ଷା କରିବାର ସ୍ଥାନ ଏହା ନୁହେଁ ବୋଲି ଶାହି ଇମାମ ସୟେଦ ଅହମଦ ବୁଖାରି କହିବା ସହ ଜାମା ମସ୍‌ଜିଦ୍‌କୁ ଏକାକିନୀ ମହିଳାଙ୍କ ଆଗମନ ଉପରେ କଟକଣା ଲଗାଇଥିଲେ। ଏକାକୀ କିମ୍ବା ଗ୍ରୁପ୍‌ରେ ଆସୁଥିବା ମହିଳାଙ୍କ ପ୍ରବେଶ ନିଷେଧ ନେଇ ମସ୍‌ଜିଦ ମୁଖ୍ୟ ଫାଟକ ବାହାରେ ନୋଟିସ୍‌ ଲଗାଯାଇଥିଲା। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ପରେ ନମାଜ ପାଠ ପାଇଁ ଆସୁଥିବା ମହିଳାଙ୍କ କ୍ଷେତ୍ରରେ ଏହା ଲାଗୁ ହେବନାହିଁ ବୋଲି ଇମାମ କହିଥିଲେ। ଦିଲ୍ଲୀ ଉପରାଜ୍ୟପାଳ ଏହି ପ୍ରସଙ୍ଗରେ ଭି.କେ. ସାକ୍ସେନା ଶାହି ଇମାମ ବୁଖାରିଙ୍କ ସହ ଆଲୋଚନା କରି ନିର୍ଦ୍ଦେଶର ପୁନର୍ବିଚାର କରିବା ଲାଗି ଅନୁରୋଧ କରିଥିଲେ। ନିର୍ଦ୍ଦେଶନାମା ରଦ୍ଦ କରିବାକୁ ଇମାମ ରାଜି ହୋଇଛନ୍ତି। ମସ୍‌ଜିଦକୁ ଆସୁଥିବା ଲୋକେ ଏହାର ପବିତ୍ରତାକୁ ସମ୍ମାନ ଦିଅନ୍ତୁ ଓ ମର୍ଯ୍ୟାଦା ରକ୍ଷା କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।
ମସ୍‌ଜିଦକୁ ଝିଅମାନେ ଡେଟିଂରେ ଆସୁଥିବା କେତେକ ରିପୋର୍ଟ ମିଳିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ପୂର୍ବରୁ ବୁଖାରି କହିଥିଲେ। ତେବେ ଏହା ମହିଳା ଅଧିକାରର ଉଲ୍ଲଂଘନ ବୋଲି ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ କହିବା ସହ ମସ୍‌ଜିଦ କର୍ତ୍ତୃପକ୍ଷଙ୍କୁ ନୋଟିସ ଜାରି କରିଥିଲେ। ଜାମା ମସ୍‌ଜିଦରେ ମହିଳାଙ୍କ ପ୍ରବେଶକୁ ବାରଣ ଅସାମ୍ବିଧାନିକ ଓ ମହିଳା ବିରୋଧୀ ବୋଲି ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ କୁହାଯାଇଥିଲା। ଜାମା ମସ୍‌ଜିଦରେ ମହିଳାଙ୍କ ପ୍ରବେଶକୁ ବାରଣ କରି ମୁଖ୍ୟ ଫାଟକରେ ନୋଟିସ୍‌ ଲଗାଯିବାକୁ ମହିଳା ଅଧିକାର କର୍ମୀମାନେ ଦୁଃଖଦାୟକ ଓ ଗ୍ରହଣୀୟ ନୁହେଁ ବୋଲି କହିଥିବାବେଳେ ଜାତୀୟ ମହିଳା କମିଶନ (ଏନ୍‌ସିଡବ୍ଲ୍ୟୁ) ଏହାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଥିଲା।

Share