ମନ୍ଦିରରୁ ପଡ଼ି ରଙ୍ଗ କାରିଗରଙ୍କ ଜୀବନ ଗଲା

କୋକସରା,୧୮ା୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଆସନ୍ତା ନଭେମ୍ବର ୪ ତାରିଖରେ ପ୍ରଭୁ ବୁଢ଼ାରଜା ଠାକୁରଙ୍କ ବାର୍ଷିକ ଦଶହରା ଥିବାରୁ ମନ୍ଦିର ଉପରେ ସାଥୀ ଶ୍ରମିକଙ୍କ ସହ ରଙ୍ଗ ମାରୁଥିବା ବେଳେ ଅସାବଧାନତା କାରଣରୁ ମନ୍ଦିର ଉପରୁ ଖସି ପଡ଼ି ଜଣେ ରଙ୍ଗ କାରିଗରଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ଧର୍ମଗଡ଼ ବ୍ଲକ ଛିଲିପା ପଞ୍ଚାୟତ ଅନ୍ତର୍ଗତ ବିକ୍ରମଗୁଡ଼ା ଗ୍ରାମର ଇଶରାମ ନାଏକଙ୍କ ପୁଅ ଟଙ୍କଧର(୪୦) ବୋଲି ଜଣାପଡ଼ିଛି। ଘଟଣା ପରେ ମନ୍ଦିର କମିଟି ପକ୍ଷରୁ ସ୍ଥାନୀୟ ଆମପାଣି ପୋଲିସକୁ ଖବର ଦେବା ସହ ମୃତକଙ୍କ ପରିବାରକୁ ସୂଚନା ଦେଇଥିଲେ। ମୃତକ ପରିବାର ପହଞ୍ଚି ସହାୟତା କ୍ଷତିପୂରଣ ୫ ଲକ୍ଷ ଦାବି କରି ମୃତଦେହ ନେବାକୁ ମନା କରିଥିଲେ। ପରେ ଦୀର୍ଘ ସମୟ ଧରି ମନ୍ଦିର କମିଟିର କର୍ମକର୍ତ୍ତା ଓ ପୋଲିସ ବୁଝାଶୁଝା ପରେ ମଧ୍ୟ କୌଣସି ସମାଧାନ ହୋଇ ନ ଥିଲା। ପରେ ଘଟଣାସ୍ଥଳରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରଓ୍ବାଲଙ୍କ ସମେତ ଭାଜପା ନେତା ଲକ୍ଷ୍ମୀକାନ୍ତ ବାଗ ପହଞ୍ଚି ପରିବାର ଓ ପରିଜନଙ୍କ ସହ ଆଲୋଚନା କରିଥିଲେ। କ୍ଷତିପୂରଣ ବାବଦରେ ମନ୍ଦିର କମିଟି ପକ୍ଷରୁ ୧ ଲକ୍ଷ ୩୦ ହଜାର ଟଙ୍କା ଓ ବ୍ଲକ ଉପାଧ୍ୟକ୍ଷଙ୍କ ଉପଜିଲାପାଳଙ୍କ ସହ ଆଲୋଚନା ପରେ ରେଡ୍‌କ୍ରସରୁ ୩୦ ହଜାର ଟଙ୍କା ଦେବା ପାଇଁ ପ୍ରତିଶ୍ରୁତି ମିଳିବା ପରେ ପରିବାର ମୃତଦେହ ନେବାକୁ ରାଜି ହୋଇଥିଲେ। ମୃତଦେହ ବ୍ୟବଚ୍ଛେଦ ପାଇଁ କୋକସରା ହସ୍ପିଟାଲକୁ ପଠାଯାଇଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ। ଏନେଇ ଆମପାଣି ଥାନା କେସ୍‌ ନମ୍ବର ୮/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ଏଏସ୍‌ଆଇ ମନୋଜ ନାଏକ କହିଛନ୍ତି।