Categories: ଜାତୀୟ

୫ ଯବାନ, ୨ ପରିବାର ସଦସ୍ୟ ନିହତ

ଚୁରାଚାନ୍ଦପୁର,୧୪।୧୧: ମଣିପୁରରେ ରକ୍ତମୁଖା ହୋଇଉଠିଛି ପିପୁଲ୍ସ ରିଭୋଲ୍ୟୁଶନାରୀ ପାର୍ଟି ଅଫ୍‌ କଙ୍ଗଲେଇପକ୍‌ (ପିଆର୍‌ଇପିକେ)। ସ୍ବତନ୍ତ୍ର ରାଜ୍ୟ ଦାବି କରୁଥିବା ଏହି ବାମପନ୍ତୀ ସଂଗଠନର ଉଗ୍ରବାଦୀମାନେ ଆସାମ ରାଇଫଲ୍ସ ଉପରେ ଅତର୍କିତ ଆକ୍ରମଣ କରିଛନ୍ତି। ଏଥିରେ କମାଣ୍ଡିଂ ଅଫିସରଙ୍କ ସହ ୪ ସୈନ୍ୟ ଶହୀଦ ହୋଇଛନ୍ତି। କମାଣ୍ଡିଂ ଅଫିସରଙ୍କ ସ୍ତ୍ରୀ ଓ ପୁଅ ମଧ୍ୟ ପ୍ରାଣ ହରାଇଛନ୍ତି। ଶହୀଦଙ୍କ ପ୍ରାଣବଳି ବେକାର ଯିବନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି।
ମଣିପୁରର ଚୁରାଚାନ୍ଦପୁର ଜିଲାରେ ଶନିବାର ସୈନ୍ୟବାହିନୀର ଗାଡ଼ି ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏଥିରେ ୪୬ ଆସାମ ରାଇଫଲ୍ସର କମାଣ୍ଡିଂ ଅଫିସର କଲୋନେଲ ବିପ୍ଳବ ତ୍ରିପାଠୀ, ତାଙ୍କ ସ୍ତ୍ରୀ ଓ ପୁଅ ଏବଂ ଅନ୍ୟ ୪ ଜଣ ଯବାନ ପ୍ରାଣ ହରାଇଛନ୍ତି। ଏଥିରେ ଅନ୍ୟ ୪ ଜଣ ଆହତ ହୋଇଛନ୍ତି। ମଣିପୁରର ଆତଙ୍କବାଦୀ ସଂଗଠନ ପିପୁଲ୍ସ ଲିବରେଶନ ଆର୍ମି ଏହି ଆକ୍ରମଣ ସହ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ପ୍ରଥମେ ଆତଙ୍କବାଦୀମାନେ ଆଇଇଡି ବିସ୍ଫୋରଣ କରିବା ପରେ ସେନା ଗାଡ଼ି ଉପରକୁ ଗୁଳି ଚଳାଇଥିଲେ। ମ୍ୟାନ୍‌ମାର ସୀମାନ୍ତ ଚୁରାଚାନ୍ଦପୁର ଜିଲାରେ ଏକ କାର୍ଯ୍ୟକ୍ରମର ଦେଖାରଖା କରି କଲୋନେଲ ତ୍ରିପାଠୀ ତାଙ୍କ ବାଟାଲିୟନ ମୁଖ୍ୟାଳୟକୁ ଫେରୁଥିବାବେଳେ ଆକ୍ରମଣ ହୋଇଥିଲା। ଆତଙ୍କବାଦୀମାନଙ୍କ ଏଭଳି ଆକ୍ରମଣକୁ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ ସିଂ କଡ଼ା ନିନ୍ଦା କରିଛନ୍ତି।

Share