ଦୁଇ ଟ୍ରକ୍‌ ମଧ୍ୟରେ ମୁହାମୁହିଁ ଧକ୍କା: ଚାଲିଗଲା ୨ ଜୀବନ, ୨ ଗୁରୁତର

ନୂଆପଡ଼ା ଅଫିସ,୩୧।୭: ନୂଆପଡ଼ା ଜିଲା କୋମନା ଥାନା ତରବୋଡ କେନ୍ଦୁପତ୍ର ଗୋଦାମ ପାଖ ୩୫୩ ନମ୍ବର ଜାତୀୟ ରାଜପଥରେ ୨ ଟ୍ରକ୍‌ ମଧ୍ୟରେ ମୁହାମୁହିଁ ଧକ୍କା ହୋଇଛି। ଫଳରେ ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ତରବୋଡ ପୋଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ମୃତକ ହେଲେ ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ସରର୍ଗିଗୁଡ଼ାର ଅଭିଷେକ ପ୍ରଧାନ (୨୯) ଏବଂ ଅନ୍ୟ ଜଣେ କଳାହାଣ୍ଡି ଜିଲା ଛେଲିଆମାଲ ଗ୍ରାମର ଧର୍ମେନ୍ଦ୍ର ମହରା (୩୩) ବୋଲି ଜଣାପଡିଛି। ଅନ୍ୟ ଏକ ଟ୍ରକ୍‌ର ଡ୍ରାଇଭର ଓ ହେଲପର ଗୁରୁତର ଆହତ ହୋଇ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ହେଲେ ସେମାନଙ୍କ ପରିଚୟ ମିଳିପାରି ନାହିଁ ।

ମିଳିଥିବା ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତିରେ ଏକ ଟ୍ରକ୍‌ (ଓଡି-୧୮ଏଫ୍‌ ୩୫୧୪ ନମ୍ବର) କୋମନା ପଟୁ ନୂଆପଡ଼ା ଆସୁଥିଲା। ସେତିକିବେଳେ ବିପରିତ ଦିଗରୁ ଆସୁଥିବା ଅନ୍ୟ ଏକ ଟ୍ରକ୍‌ (ନଂ.ସିଜି-୦୪ ଏନ୍‌ଏଚ୍‌ ୧୩୯୭) ମଧ୍ୟରେ ମୁହାମୁହିଁ ଧକ୍କା ହୋଇଥିଲା। ଫଳରେ ଅଭିଷେକ ଏବଂ ଧର୍ମେନ୍ଦ୍ରଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଏନେଇ କୋମନା ଥାନା ପୋଲିସ ଏକ ଦୁର୍ଘଟଣା ମାମଲା (ନଂ.୧୮୭/୨୨) ରୁଜୁ କରି ତଦନ୍ତ ଜାରି ରଖିଥିବା ମାମଲାର ତଦନ୍ତକାରୀ ଅଧିକାରୀ ସହଦେବ ଯୋଶୀ ଏବଂ ରାମଲାଲ ଜୁରିଆ ସୂଚନା ଦେଇଛନ୍ତି ।