Categories: ଜାତୀୟ

୩ୟ ଥର ସୁପାରିସ କଲେ କଲେଜିୟମ୍‌

ନୂଆଦିଲ୍ଲୀ,୨୦।୧:ସମଲିଙ୍ଗୀ ଆଇନଜୀବୀ ସୌରଭ କିର୍ପାଲଙ୍କୁ ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତି ଦେବା ଲାଗି ସୁପ୍ରିମକୋର୍ଟ କଲେଜିୟମ ତୃତୀୟ ଥର ପାଇଁ ସୁପାରିସ କରିଛନ୍ତି। ଜଣେ ବରିଷ୍ଠ ଆଇନଜୀବୀଙ୍କୁ ବିଚାରପତି ଭାବେ ପଦୋନ୍ନତି ଦେବା ଲାଗି ପୂର୍ବରୁ ଦୁଇଥର କଲେଜିୟମ ସୁପାରିସ କରିଥିଲେ ମଧ୍ୟ ସରକାର ଏହାକୁ ଗ୍ରହଣ କରି ନ ଥିଲେ। ସୁପାରିସ୍‌କୁ ସରକାର ବିରୋଧ କରିଥିବାର କାରଣ ସମ୍ପର୍କରେ ପ୍ରଥମ ଥର ପାଇଁ ସର୍ବୋଚ୍ଚ ଅଦାଲତ ସର୍ବସାଧାରଣରେ ପ୍ରକାଶ କରିଛନ୍ତି। କିର୍ପାଲଙ୍କୁ ପଦୋନ୍ନତି ଦେବା ପ୍ରସ୍ତାବ ୫ ବର୍ଷ ହେଲା ଅଟକି ରହିଛି। ଜଜ୍‌ ନିଯୁକ୍ତିକୁ ନେଇ ସରକାର ଏବଂ ନ୍ୟାୟପାଳିକା ମଧ୍ୟରେ ବିବାଦ ଲାଗିରହିଥିବାବେଳେ ଗୋପନ ଦସ୍ତାବିଜ୍‌ ସମ୍ପର୍କରେ ଅଦାଲତ ସର୍ବସାଧାରଣରେ ପ୍ରକାଶ କରିଛନ୍ତି। କିର୍ପାଲ ଜଣେ ଜଣାଶୁଣା ସମଲିଙ୍ଗୀ ଏବଂ ତାଙ୍କର ପାର୍ଟନର ଜଣେ ସୁଇସ୍‌ କହି ସରକାର ତାଙ୍କ ପଦୋନ୍ନତି ସୁପାରିସ୍‌କୁ ଗ୍ରହଣ କରି ନ ଥିଲେ। ଉଭୟ କାରଣକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି। କିର୍ପାଲଙ୍କ ପାର୍ଟନରଙ୍କ ବ୍ୟକ୍ତିଗତ ଆଚରଣ ଏବଂ ବ୍ୟବହାରକୁ ନେଇ ଗୋଇନ୍ଦା ବିଭାଗ ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ଓ୍ବିଙ୍ଗ (ର) ରିପୋର୍ଟରେ କୌଣସି ଆଶଙ୍କା ବ୍ୟକ୍ତ କରାଯାଇ ନାହିଁ। ସାମ୍ବିଧାନିକ ପଦବୀରେ ଥିବା ଅନେକ ବ୍ୟକ୍ତିଙ୍କର ବିଦେଶୀ ନାଗରିକ ଜୀବନ ସାଥୀ ଅଛନ୍ତି। ତେଣୁ ଏହାକୁ ନେଇ କଲେଜିୟମ ସୁପାରିସ୍‌କୁ ଖାରଜ କରାଯାଇପାରିବ ନାହିଁ ବୋଲି ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ଏସ୍‌.କେ. କୌଲ ଏବଂ କେ.ଏମ୍‌. ଜୋଶେଫ ସ୍ବାକ୍ଷର କରିଥିବା ପତ୍ରରେ ଉଲ୍ଲେଖ କରାଯାଇଛି।

Share