ଭଞ୍ଜନଗର,୧୦ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ସୋମବାର ସ୍ବଚ୍ଛତା ପଖଓ୍ବାଡ଼ା ଅବସରରେ ଜାତୀୟ ସେବା ଯୋଜନା (NSS) କୋ-ୟୁନିଟ୍ ଓ ମହିଳା ଶାଖା ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଗଗନ ବିହାରୀ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଫେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ନିଜେ ମଧ୍ୟ ସଫେଇ କାର୍ଯ୍ୟରେ ସାମିଲ ହୋଇଥିଲେ। ଏହି ଅବସରରେ ସେ ସ୍ବଚ୍ଛ ଭାରତ ଅଭିଯାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଛାତ୍ରୀଛାତ୍ର ନିଜ ଘର, ଶିକ୍ଷାନୁଷ୍ଠାନ ଓ ଆଖପାଖ ଅଞ୍ଚଳକୁ ସ୍ବଚ୍ଛ ଓ ପରିଷ୍କାର ରଖିବା ସହ ଅନ୍ୟମାନଙ୍କୁ ମଧ୍ୟ ସ୍ବଚ୍ଛତା ପ୍ରତି ସଚେତନ କରାଇବା ଆବଶ୍ୟକ ବୋଲି ଅଧ୍ୟକ୍ଷ ଆହ୍ବାନ ଦେଇଥିଲେ।
କାର୍ଯ୍ୟକ୍ରମରେ ଏନ୍ଏସ୍ଏସ୍ କୋ-ୟୁନିଟ୍ ଅଧିକାରୀ, ମହିଳା ଶାଖା ଯୋଜନା ଅଧିକାରୀ ସସ୍ମିତା କୁମାରୀ ଦାସ, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ଅଧ୍ୟାପିକା ରାଜଲକ୍ଷ୍ମୀ ରଥ, ଇତିହାସ ବିଭାଗର ଅଧ୍ୟାପକ ବିଦେଶୀ ରାଉତ, କର୍ମଚାରୀ ପି. ରମେଶ, ପ୍ରଶାନ୍ତ ଚୌଧୁରୀଙ୍କ ସମେତ ବହୁ ଛାତ୍ରୀଛାତ୍ର ଯୋଗଦେଇ ସଫେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।