ମାର୍ଶାଘାଇ,୨।୧୧ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଯଦୁପୁର (ବନ୍ଧସାହି) ଗ୍ରାମରେ ଗତ ୩୧ ତାରିଖ ରାତିରେ ଜଣେ କଲେଜ ଛାତ୍ରୀଙ୍କୁ ଗଳାକାଟି ହତ୍ୟା ଘଟଣାକୁ ନେଇ ଆଜି ପ୍ରବଳ ଉତ୍ତେଜନା ଦେଖାଦେଇଛି। ଘଟଣାରେ ଅଭିଯୁକ୍ତ ଅରଜିତ ମହାନ୍ତିଙ୍କୁ ଗିରଫ କରିବା ପରେ ପୋଲିସ ତାଙ୍କୁ ନେଇ ଘଟଣାସ୍ଥଳରେ ସିନ ରିକ୍ରିଏସନ କରୁଥିବା ସମୟରେ ଉତ୍ତ୍ୟକ୍ତ ଲୋକେ ଅଭିଯୁକ୍ତଙ୍କୁ ଘେରିଯାଇଥିଲେ। ଏହି ସମୟରେ ପୋଲିସ ଗାଡ଼ିକୁ ଅଟକାଇବା ସହ ଥାନା ଅଧିକାରୀଙ୍କୁ ମଧ୍ୟ ଘେରାଉ କରାଯାଇଥିଲା।
ମାର୍ଶାଘାଇ ପୋଲିସ ଆଜି ଅପରାହ୍ନ ପ୍ରାୟ ୩ଟା ସମୟରେ ଅଭିଯୁକ୍ତ ଅରଜିତ ମହାନ୍ତିଙ୍କୁ ଯଦୁପୁର ଗ୍ରାମକୁ ନେଇ ହତ୍ୟା ଘଟଣାର ସିନ ରିକ୍ରିଏସନ କରିଥିଲା। ଅଭିଯୁକ୍ତ କିପରି ଘରକୁ ଯାଇଥିଲେ, କିପରି ଛାତ୍ରୀଙ୍କୁ ହତ୍ୟା କରିଥିଲେ ଏବଂ ପରେ ମୃତଦେହକୁ ଦଳପୂର୍ଣ୍ଣ ଜଳାଶୟରେ କିପରି ଫିଙ୍ଗିଥିଲେ, ତାହା ପୋଲିସ ଉପସ୍ଥିତିରେ ପ୍ରଦର୍ଶିତ କରାଯାଇଥିଲା। ସିନ ରିକ୍ରିଏସନ ପରେ ପୋଲିସ ଅଭିଯୁକ୍ତଙ୍କୁ ଗାଡ଼ିରେ ନେଇ ଫେରୁଥିବା ବେଳେ ଶହ ଶହ ଲୋକ ତାଙ୍କୁ ଘେରି ଯାଇଥିଲେ। ଉପସ୍ଥିତ ଲୋକଙ୍କ ମଧ୍ୟରୁ କେତେକ ଅଭିଯୁକ୍ତଙ୍କୁ ସେମାନଙ୍କ ହାତକୁ ଦେବାକୁ ଦାବି କରିଥିବା ବେଳେ ଆଉ କେତେକ ଗିରଫ ହୋଇଥିବା ଯୁବକ ହିଁ ପ୍ରକୃତ ଅଭିଯୁକ୍ତ କି ନୁହେଁ ବୋଲି ପ୍ରଶ୍ନ ଉଠାଇଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ହୋହଲ୍ଲା ଓ ଠେଲାପେଲା ହୋଇଥିଲା। କେତେକ ଲୋକ ଅଭିଯୁକ୍ତଙ୍କୁ ଧକ୍କା ମାରିଥିବା ମଧ୍ୟ ଦେଖିବାକୁ ମିଳିଥିଲା। ପୋଲିସ ଗାଡ଼ିକୁ ଆଗକୁ ଯିବାକୁ ନଦେବା ପାଇଁ ଉତ୍ତ୍ୟକ୍ତ ଲୋକେ ରାସ୍ତାରେ ପାଞ୍ଚରୁ ଛଅଟି ବାଇକ ରଖି ଅବରୋଧ କରିଥିଲେ। ବହୁ କଷ୍ଟରେ ପୋଲିସ ଅଭିଯୁକ୍ତଙ୍କୁ ଗାଡ଼ିରେ ବସାଇବା ସହ ରାସ୍ତାରୁ ବାଇକ୍ଗୁଡ଼ିକୁ ହଟାଇ ତାଙ୍କୁ ସେଠାରୁ ନେଇଯାଇଥିଲା।
ଅଭିଯୁକ୍ତଙ୍କୁ ନେଇ ପୋଲିସ ଗାଡ଼ି ଚାଲିଯାଇଥିବାବେଳେ ଥାନା ଅଧିକାରୀ ତପନ ନାୟକ ଓ ଅନ୍ୟ ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ରହିଯାଇଥିଲେ। ଏହାପରେ ଉତ୍ତ୍ୟକ୍ତ ଲୋକେ ଆଇଆଇସିଙ୍କୁ ଘେରାଉ କରିଥିଲେ। ହତ୍ୟା ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ, ଏହାର ମାଷ୍ଟରମାଇଣ୍ଡ କିଏ ଏବଂ ଗିରଫ ଯୁବକ ଜଣକ ସୁପାରି କିଲର କି ନୁହେଁ, ସେନେଇ ଲୋକେ ପ୍ରଶ୍ନ ଉଠାଇଥିଲେ। ପ୍ରକୃତ ଅଭିଯୁକ୍ତଙ୍କୁ ଧରିବାକୁ ଦାବି କରି ସେମାନେ ପୋଲିସ ସହ ଯୁକ୍ତିତର୍କ କରିଥିଲେ।
ଏହାକୁ ନେଇ ଘଟଣାସ୍ଥଳରେ ଦୀର୍ଘ ସମୟ ଧରି ପ୍ରବଳ ଉତ୍ତେଜନା ଲାଗିରହିଥିଲା। ପରେ ପୋଲିସ ପକ୍ଷରୁ ବୁଝାସୁଝା କରାଯିବା ପରେ ଲୋକେ ଆଇଆଇସି ଓ ଅନ୍ୟ ପୋଲିସ କର୍ମଚାରୀଙ୍କୁ ଛାଡ଼ିଥିଲେ।