Categories: Uncategorized

କଲେଜ ଛାତ୍ରୀ ଜସ୍ମିନ୍‌ ହତ୍ୟା ମାମଲା: ୪୮ ଘଣ୍ଟା ବିତିଲା, ରହସ୍ୟରୁ ପରଦା ହଟିଲାନି

ଢେଙ୍କାନାଳ,୩।୩(ରତନ ନାୟାର)ଢେଙ୍କାନାଳ ଜିଲା ସଦର ଥାନା ମଜୁରି ଗ୍ରାମର କଲେଜ ଛାତ୍ରୀ ଜସ୍ମିନ୍‌ ସାହୁ ହତ୍ୟା ଘଟଣାକୁ ଶନିବାର ୪୮ ଘଣ୍ଟା ପୂରିଛି। ହେଲେ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ହୋଇପାରି ନାହିଁ କି ଅପରାଧିଙ୍କ ନିକଟରେ ପହଞ୍ଚିପାରିନି ପୋଲିସ। ତେବେ ଏ ନେଇ ପୋଲିସ ତଦନ୍ତ ଜାରି ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳର ୨ଜଣ ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ଅଟକ ଥିବା ଯୁବକ ଦ୍ୱୟ ମୃତ ଜସ୍ମିନଙ୍କ ପଡ଼ୋଶୀ ଓ ସମ୍ପର୍କୀୟ ବୋଲି ଆଲୋଚନା ହେଉଛି। ଏପରି କି ପୂର୍ବ ରାଗରୁ ଏହି ହତ୍ୟାକାଣ୍ଡ ଘଟିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ତେବେ ଦିନ ତମାମ ପୋଲିସ ଜସ୍ମିନ୍‌ଙ୍କ ବାପା ତଥା ବ୍ୟବସାୟୀ ଜଳନ୍ଧର ସାହୁଙ୍କ ସମେତ ତାଙ୍କର ସମ୍ପର୍କୀୟମାନଙ୍କୁ ପଚରାଉଚରା ଜାରି ରଖିଛି। ଢେଙ୍କାନାଳ ସହରର ମହାବୀର ବଜାରଠାରୁ ଆରମ୍ଭ କରି ଗଣେଶ ବଜାର, ରଥଗଡା, ଜୁବୁଲି ଟାଉନ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜକୁ ନେଇ ପୋଲିସ ଯାଞ୍ଚ କରୁଛି। ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିବା ପାଇଁ ଏସ୍‌ପିଙ୍କ ନିର୍ଦ୍ଦେଶରେ ପୋଲିସ ବିଭାଗର ସମସ୍ତ ବରିଷ୍ଠ ଅଧିକାରୀ ନିୟୋଜିତ ହୋଇଛନ୍ତି। ସେହିପରି ଜସ୍ମିନ୍‌ ପଢିବାକୁ ଯାଉଥିବା କୁଞ୍ଜକାନ୍ତସ୍ଥିତ କୋଚିଂ ସେଣ୍ଟରର ଜଣେ କର୍ମକର୍ତ୍ତାଙ୍କୁ ଜେରା କରାଯାଇଛି। ଏ ସମ୍ପର୍କରେ ଏସ୍‌ପି ମଡକର ସନ୍ଦୀପ ସମ୍ପତ କହିଛନ୍ତି, ପୋଲିସ ପକ୍ଷରୁ ତନାଘନା ଜାରି ରହିଛି। ଘଟଣା ସମ୍ପର୍କରେ କିଛି ପ୍ରମାଣ ମିଳିଛି। ସ୍ଥାନୀୟ ଅଞ୍ଚଳର କେତେଜଣ ଯୁବକଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ଖୁବ୍‌ଶୀଘ୍ର ଘଟଣାର ପର୍ଦ୍ଦାଫାସ ହେବ।
ସୂଚନାଯୋଗ୍ୟ, ମଜୁରି ଗ୍ରାମର ଜଳନ୍ଧର ସାହୁଙ୍କ ଝିଅ ଜସ୍ମିନ୍‌ ଢେଙ୍କାନାଳ ସରକାରୀ ମହିଳା ଜୁନିୟର କଲେଜରେ ଯୁକ୍ତ୨ ପ୍ରଥମ ବର୍ଷ ବିଜ୍ଞାନ ଛାତ୍ରୀ ଥିଲେ। ଗୁରୁବାର ଅପରାହ୍ନ ୧ଟାରେ ସେ ସହରସ୍ଥିତ କୁଞ୍ଜକାନ୍ତଠାରେ ଥିବା କୋଚିଂ ସେଣ୍ଟରକୁ ପଢିବାକୁ ଯାଇ ସନ୍ଧ୍ୟା ୫ଟା ୪୦ରେ ଫେରିଥିବା ସହରସ୍ଥିତ ରଥଗଡାଠାରେ ଥିବା ଏକ କଖାରୁ ଗୋଦାମର ସିସିଟିଭି ଫୁଟେଜରୁ ଜଣାପଡିଛି। ଏହାପରେ ସେ ଘରକୁ ଫେରି ନ ଥିଲେ। ଶୁକ୍ରବାର ତାଙ୍କ ମୃତଦେହ ଢେଙ୍କାନାଳ-ଭାପୁର ରାସ୍ତା କଡ଼ର ଏକ ବୁଦା ମୂଳରୁ ମିଲିଥିଲା। ସେଠାରେ ଏକ ମଦଭର୍ତ୍ତି ବୋତଲ, ଚପଲହଳ ଏବଂ ଓଢଣି ସହ ରକ୍ତଭିଜା ପଥର ପଡିଥିବାରୁ ତାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଜଣାପଡିଛି।

ଏନ୍‌ଏଚ୍‌ଆର୍‌ସିରେ ମାମଲା ଦାଏର
ଢେଙ୍କାନାଳ ସଦର ଥାନା ମଙ୍ଗଳପୁର ପଞ୍ଚାୟତ ମଜୁରି ଗ୍ରାମର ନାବାଳିକା କଲେଜ ଛାତ୍ରୀଙ୍କୁ ପଥରରେ ଛେଚି ନିର୍ମମ ହତ୍ୟା କରାଯିବା ଘଟଣାକୁ ନେଇ ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟରେ ନଂ-୩୪୪୮/୨୦୨୪ରେ ମାମଲା ଦାଏର କରିଛନ୍ତି ନ୍ୟାୟ ପାଇଁ ଲଢ଼େଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ମୃତ ନାବାଳିକାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ସେ ଅନୁରୋଧ କରିଛନ୍ତି। ଏହି ମାମଲାରେ ମୁଖ୍ୟମନ୍ତ୍ରୀ, ପୋଲିସ ଡିଜି, ରାଜ୍ୟ ଗୃହ ବିଭାଗ ସଚିବ ଓ ଢେଙ୍କାନାଳ ଏସ୍‌ପିଙ୍କୁ ପକ୍ଷଭୁତ କରାଯାଇଥିବା ସେ ସୂଚନା ଦେଇଛନ୍ତି।