କଲେଜ ଛାତ୍ରୀଙ୍କୁ ଅପହରଣ

ଯାଜପୁର ଅଫିସ,୧୭।୧୨ :ଯାଜପୁର ଜିଲା ଧର୍ମଶାଳା ଥାନା ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କୁ ଅପହରଣ କରାଯାଇଛି। ମାତ୍ର ଅପହରଣର ୧୦ ଦିନ ପରେ ବି ପୋଲିସ ତାଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇନାହିଁ। ଛାତ୍ରୀ ଜଣଙ୍କ ଅପହରଣକାରୀଙ୍କ କବଳରୁ ଉଦ୍ଧାର କରିବାକୁ ନିଜ ମା’ଙ୍କୁ ୩ ଦିନ ତଳେ ଫୋନ ଯୋଗେ ଆକୁଳ ନିବେଦନ କରିଛନ୍ତି। ଏବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଏନେଇ ଛାତ୍ରୀଙ୍କ ବାପା ଯାଜପୁର ଏସ୍‌ପିଙ୍କ ନିକଟରେ ଗତ ୬ ତାରିଖରେ ଲିଖିତ ଅଭିଯୋଗ କରିଥିଲେ ହେଁ ଏଯାଏ କୌଣସି ସୁଫଳ ମିଳି ପାରିନାହିଁ। ତେବେ ବୁଧବାର ଧର୍ମଶାଳା ଥାନା ପୋଲିସ ଅପହରଣକାରୀଙ୍କ ବାପାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୧୪ଦିନ ପାଇଁ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦିଆଯାଇଛି। ଛାତ୍ରୀଙ୍କ ଅପହରଣରେ ଆପରାଧିକ ଷଡ଼ଯନ୍ତ୍ର କରିଥିବା ଏବଂ ଅପହୃତାଙ୍କ ପିତାମାତାଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଅଭିଯୋଗ ଅନୁସାରେ, ଗତ ୫ ତାରିଖରେ ଯୁବତୀ ଜଣକ ନିଜର ମାଇଗ୍ରେଶନ ସାର୍ଟିଫିକେଟ ପାଇଁ ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟକୁ ଯାଇଥିଲେ। ସେଠାରୁ ଫେରିବା ସମୟରେ ତାଙ୍କୁ କେତେଜଣ ଦୁର୍ବୃତ୍ତ ଅପହରଣ କରି ନେଇଥିଲେ। ପୋଲିସରେ ଜଣାଇଲେ ତାଙ୍କୁ ଏବଂ ତାଙ୍କ ପରିବାର ଲୋକଙ୍କୁ ଜୀବନରୁ ମାରି ଦେବାର ଧମକ ଦେଇଥିଲେ। ଏହାବାଦ ଛାତ୍ରୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ତାଙ୍କ ସହିତ ବଳପୂର୍ବକ ବିବାହ କରିବାକୁ ଅପହରଣକାରୀ ଉଦ୍ୟମ କରୁଛନ୍ତି। ଏପରି କି ତାଙ୍କ ଉପରେ ଗୁଣିଗାରେଡ଼ି କରି ମାନସିକ ଶୋଷଣ କରୁଥିବା ଛାତ୍ରୀ ତାଙ୍କ ମା’ଙ୍କୁ ଜଣାଇଛନ୍ତି। ଛାତ୍ରୀଙ୍କ ବାପା ଥାନାରେ ଦେଇଥିବା ଅଭିଯୋଗରେ ଏହା ଦର୍ଶାଇଛନ୍ତି। ଝିଅର ଜୀବନ ପ୍ରତି ବିପଦ ଥିଲେ ବି ପୋଲିସ ତାଙ୍କୁ ଉଦ୍ଧାର କରିବାରେ ବିଫଳ ହୋଇଛି। ତେଣୁ ଝିଅକୁ ଉଦ୍ଧାର ନିମନ୍ତେ ପ୍ରାର୍ଥନା କରି ତାଙ୍କ ବାପା ଓଡ଼ିଶା ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିବା ଜଣାପଡିଛି।