ଲାଞ୍ଚ ନେଇ କଲେଜ ଅଧ୍ୟକ୍ଷା ଗିରଫ

ବଙ୍ଗୋମୁଣ୍ଡା,୧୯।୧(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଯୁକ୍ତ୨ ଜୁନିୟର କଲେଜ ଅଧ୍ୟକ୍ଷା ମିନତୀ ରଥ ଲାଞ୍ଚ ନେଇ ସୋମବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। କଲେଜରେ କାର୍ଯ୍ୟରତ ଲାଇବ୍ରେରିଆନ୍‌ ଡୋଳାମଣି ମେହେରଙ୍କଠାରୁ ଲାଞ୍ଚ ବାବଦ ୮୦ ହଜାର ଟଙ୍କା ନେଲା ବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଗିରଫ କରିଛି।
ଭିଜିଲାନ୍ସ ବିଭାଗ ସୂତ୍ରରୁ ପ୍ରକାଶ, ପଞ୍ଚାୟତ ସମିତି ଜୁନିୟର କଲେଜରେ ଲାଇବ୍ରେରିଆନ ଭାବେ କାର୍ଯ୍ୟରତ ଡୋଳାମଣି ମେହେର ବହୁ ସମୟରେ ଅଫିସ କାର୍ଯ୍ୟରେ ଅବହେଳା କରୁଥିଲେ। ଏ ନେଇ କହିଲେ ଓଲଟି କର୍ତ୍ତୃପକ୍ଷଙ୍କୁ ଦୁର୍ବ୍ୟବହାର କରୁଥିଲେ। ଏଥିପାଇଁ କଲେଜ ଅଧ୍ୟକ୍ଷା ରଥ ତାଙ୍କୁ ବାରମ୍ବାର ତାଗିଦ୍‌ କରୁଥିଲେ। ହେଲେ ଏକ୍ସପ୍ଲାନେଶନ ଲେଟର ଦେଇ ମେହେର କ୍ଷମା ମାଗି ନେଉଥିଲେ। କିନ୍ତୁ ବାରମ୍ବାର କର୍ତ୍ତବ୍ୟରେ ଅବହେଳା କରୁଥିବାରୁ ଆଉ କ୍ଷମା ଦିଆଯିବନି, ତୁମ ସସ୍‌ପେଣ୍ଡ ଲେଟର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପଠାଇ ଦେଇଛି ବୋଲି ଅଧ୍ୟକ୍ଷା ରଥ ତାଙ୍କୁ କହିଥିଲେ। ଲାଇବ୍ରେରିଆନ ମେହେର ଏଥର ତାଙ୍କୁ କ୍ଷମା କରିଦେବାକୁ ଅଧ୍ୟକ୍ଷାଙ୍କୁ ଅନୁରୋଧ କରିଥିଲେ। ଅଧ୍ୟକ୍ଷା ରଥ ଏଥିପାଇଁ ୧ଲକ୍ଷ ଟଙ୍କା ଦେଲେ ସମସ୍ତ ଉଚ୍ଚ ପଦାଧିକାରୀଙ୍କୁ ଭାଗ ଦେଇ ସମସ୍ୟାର ସମାଧାନ କରିଦେବାକୁ କହିଥିଲେ। ଡୋଳାମଣି ୫୦ ହଜାର ଟଙ୍କା ଦେବାକୁ କହିଥିଲେ। ଶେଷରେ ୮୦ହଜାର ଟଙ୍କାରେ କଥା ଛିଣ୍ଡି ଥିଲା। ଡୋଳାମଣି ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ସୋମବାର ସେ ଅଧ୍ୟକ୍ଷା ରଥଙ୍କ ବାସଭବନକୁ ଯାଇ ୮୦ହଜାର ଟଙ୍କା ଦେଇଥିଲେ। ଏହି ସମୟରେ ସେଠାରେ ଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ।