ଦିଗପହଣ୍ଡି,୩୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଏକ କଲେଜର ଜଣେ ଯୁକ୍ତ ୨ ଦ୍ୱିତୀୟବର୍ଷ ବିଜ୍ଞାନ ଛାତ୍ରୀଙ୍କୁ ସେହି କଲେଜର ଜଣେ ଡାଟା ଏଣ୍ଟ୍ରି ଅପରେଟର ଦେବବ୍ରତ ସାହୁ ଯୌନ ଶୋଷଣ କରିଥିବା ଅଭିଯୋଗ ହୋଇଛି। ଦେବବ୍ରତଙ୍କୁ ସାନଖେମୁଣ୍ଡି ବ୍ଲକ ଅଧିନ ଏକ କଲେଜର ଗଣିତ ଅଧ୍ୟାପକ ରାମ ସ୍ବରୂପ ପାଣିଗ୍ରାହୀ ସହଯୋଗ କରିଥିବା ନେଇ ଛାତ୍ରୀଜଣଙ୍କ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୨୭୦/୨୫ ଅନୁଯାୟୀ ଉଭୟ ଙ୍କ ନାଁ ରେ ମକଦ୍ଦମା ରୁଜୁ କରି ଥାନା ଏସ.ଆଇ ସୋଫିଆ ମିଶ୍ରଙ୍କୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଦିଗପହଣ୍ଡି ପୁଞ୍ଜିକଂୟା ଛକ ନିକଟରେ ପ୍ରଗତି ଟ୍ୟୁଟୋରିଆଲରେ ଛାତ୍ରୀ ଜଣକ ଟ୍ୟୁଶନ ଯାଉଥିଲେ। ଟ୍ୟୁଶନ ପରିଚାଳକ ଦେବବ୍ରତ ଛାତ୍ରୀଙ୍କୁ ବିଳମ୍ବିତ ରାତିରେ ବାରମ୍ବାର ଫୋନ କରୁଥିଲେ। ଟ୍ୟୁଶନ ସରିବା ପରେ ଦେବବ୍ରତ ଛାତ୍ରୀଙ୍କୁ ନିୟମିତ ବ୍ୟବଧାନରେ ଅସଦାଚରଣ କରୁଥିଲେ। ଗଣିତ ଅଧ୍ୟାପକ ରାମସ୍ବରୁପ ତାଙ୍କୁ ସମର୍ଥନ କରିବା ସହ ଘଟଣା ବାହାରେ ପ୍ରକାଶ କଲେ ଉଭୟେ ତାଙ୍କୁ ହତ୍ୟା ପାଇଁ ଧମକ ଦେଇଥିଲେ ବୋଲି ଏତଲା ରେ ଉଲ୍ଲେଖ ରହିଛ। ଛାତ୍ରୀ ଜଣକ ଏନେଇ ପରିବାର ଲୋକଙ୍କୁ ଜଣାଇବା ପରେ ଛାତ୍ରୀଙ୍କ ଭାଇ ଓ ସମ୍ପର୍କୀୟ ଲୋକେ ବୁଧବାର ଡେଙ୍ଗାଓସ୍ତା ଗ୍ରାମ ମୁଖ୍ୟରାସ୍ତା ରେ ଅଧ୍ୟାପକ କଲେଜରୁ ଫେରୁଥିବା ବେଳେ ତାଙ୍କ କାରକୁ ଅଟକାଇ ଆକ୍ରମଣ କରିବା ସହ କାରଟିକୁ ଭଙ୍ଗାରୁଜା କରିଥିବା ଜଣାପଡିଛି। ଏନେଇ ଅଧ୍ୟାପକ ଜଣକ ଛାତ୍ରୀଙ୍କ ଭାଇ ଓ ତାଙ୍କ ସହଯୋଗୀଙ୍କ ନାଁରେ ପାଟପୁର ଥାନାରେ ଏତଲା ଦେଇଥିବା ଜଣାପଡିଛି।


