୯୨ ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି କଲେଜ କର୍ତ୍ତୃପକ୍ଷ

ନୂଆପଡ଼ା ଅଫିସ,୧୭।୯: କରୋନା ସମୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରୀଛାତ୍ରମାନଙ୍କୁ ସେମାନଙ୍କ ବିଦ୍ୟାଳୟ ଆସେସମେଣ୍ଟ ପରୀକ୍ଷା ଫଳ ଆଧାରରେ ପଦୋନ୍ନତି ଦିଆଯାଇଥିଲା। ଏହି ସବୁ ନିୟମ ଅନ୍ୟ ବିଶ୍ୱ ବିଦ୍ୟାଳୟଗୁଡିକ ମଧ୍ୟରେ ଲାଗୁ ହୋଇଥିଲା। ହେଲେ ନୂଆପଡା ଜିଲାର ମହାମାୟା ପ୍ରମୁଖ ଶିକ୍ଷାନୁଷ୍ଠାନ ଯୁକ୍ତ ୩ ବିଜ୍ଞାନର ଚତୁର୍ଥ ସେମିଷ୍ଟାର ପରୀକ୍ଷା ଫଳ ବାହାରି ନ ଥିଲା। ସମ୍ବଲପୁର ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ ଏହାକୁ ସ୍ଥଗିତ ରଖିଥିଲେ ବୋଲି ଜଣାପଡିଥିଲା। କରୋନା ସମୟରେ ସମସ୍ତଙ୍କୁ ଉତୀର୍ଣ୍ଣ କରିବା ବ୍ୟବସ୍ଥା ଥାଇ ମଧ୍ୟ କିପରି ମହାମାୟା ଶିକ୍ଷାନୁଷ୍ଠାନର ୯୨ଜଣ ଛାତ୍ରୀଛାତ୍ରଙ୍କ ପରୀକ୍ଷା ଫଳ ସ୍ଥଗିତ ରହିଲା ବୁଝାପଡୁ ନ ଥିଲା। ପରେ ମହାମାୟା ଯକ୍ତ ୩ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିଜସ୍ବ ଅବହେଳାର ନିଦର୍ଶନ ବୋଲି ଜଣାପଡିଥିଲା। କଲେଜ କର୍ତ୍ତୃପକ୍ଷ ୯୨ଜଣ ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ନେଇ ଖାମଖିଆଲି ମନୋଭାବ ପୋଷଣ କରି ସମ୍ପୃକ୍ତ ଛାତ୍ରୀଛାତ୍ରମାନଙ୍କ ଫର୍ମ ପୂରଣ କରି ନ ଥିଲେ। ଏହା ଜଣାପଡିବା ପରେ କଲେଜ କର୍ତ୍ତୃପକ୍ଷ ବିଶ୍ୱବିଦ୍ୟାଳୟକୁ ଯାଇ ଏହି ଭୁଲର ସଂଶୋଧନ ପାଇଁ ଲାଗିଲେ। ସମ୍ପୃକ୍ତ ଛାତ୍ରୀଛାତ୍ର ଓ ଅଭିଭାବକମାନେ ଏ ନେଇ ଜିଲାପାଳଙ୍କୁ ସାକ୍ଷାତ କରି ତାଙ୍କ ହସ୍ତକ୍ଷେପ ମଧ୍ୟ ଲୋଡିଥିଲେ। କଲେଜ କର୍ତ୍ତୃପକ୍ଷ ଛାତ୍ରୀଛାତ୍ରମାନଙ୍କଠାରୁ ଫର୍ମ ପୂରଣ ବାବଦକୁ ୩ ହଜାର ଟଙ୍କା ନେଇ ମଧ୍ୟ ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି। ଯଦି ଚତୁର୍ଥ ସେମିଷ୍ଟାର ଫଳ କୌଣସି ପ୍ରକାରେ କଲେଜ କର୍ତ୍ତୃପକ୍ଷ ବାହାର କରିବାରେ ସକ୍ଷମ ନୁହନ୍ତି ତେବେ ମେଧାବୀ ଛାତ୍ରୀଛାତ୍ର ଡିଂଟିକ୍ସନ ପାଇବାରୁ ବଞ୍ଚତ୍ତ ହେବେ। ଏହାପାଇଁ କଲେଜ କର୍ତ୍ତୃପକ୍ଷ ଦାୟୀ ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଏ ନେଇ ମହାମାୟା ଶିକ୍ଷାନୁଷ୍ଠାନ ନିର୍ଦ୍ଦେଶକ ଟଙ୍କଧର ସାହୁଙ୍କୁ ପଚାରିବାରୁ ଅବଶ୍ୟ କଲେଜର ଏକ ଛୋଟିଆ ଭୁଲ ହୋଇଛି। କିନ୍ତୁ ଏହା ମୋ ଦୃଷ୍ଟିକୁ ଆସିବା ପରେ ତୁରନ୍ତ ଏହାର ସମାଧାନର ପନ୍ଥା ବାହାର କରାଯାଇ ଷଷ୍ଠ ସେମିଷ୍ଟାର ସହ ଚତୁର୍ଥ ସେମିଷ୍ଟାର ପରୀକ୍ଷ ଫଳ ମଧ୍ୟ ବାହାରି ସାରିଛି। କେବଳ ପିଲାଙ୍କ ଡିଂଟିକ୍ସନ ପାଇବା କଥା ଏହାକୁ ନେଇ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସହ ବିଚାର ଚାଲିଛି। ଏପରିକି ଆମ କଲେଜ ଛାତ୍ରୀଛାତ୍ରମାନେ ମଧ୍ୟ ଯାଇ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ସାକ୍ଷାତ କରିଛନ୍ତି। ଆଗାମୀ ୨୧ରେ ବିଶ୍ୱବିଦ୍ୟାଳୟ ଏକ ବୈଠକ ହେବାର ଅଛି। ସେଥିରେ ଛାତ୍ରୀଛାତ୍ରମାନଙ୍କ ଡିଟିଂକ୍ସନ ପାଇବା ଅସୁବିଧା ମଧ୍ୟ ଦୂର ହୋଇଯିବ ବୋଲି ଆମେ ଆଶାବାଦୀ ରହିଛୁ ବୋଲି କହିଥିଲେ।