ମୁଖ୍ୟ ଚିକିତ୍ସାଳୟ ବୁଲିଲେ ଜିଲାପାଳ

ପୁରୀ ଅଫିସ,୨।୨: ପୁରୀ ଜିଲାପାଳ ସମର୍ଥ ବର୍ମା ସୋମବାର ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ଓପିଡି, ରେଜିଷ୍ଟ୍ରେଶନ କାଉଣ୍ଟର, ଏକ୍ସରେ, ଆଇପିଡି, ନିରାମୟ ସେଣ୍ଟର ବୁଲି ସ୍ଥିତି ପରଖିଛନ୍ତି। ସ୍ବାସ୍ଥ୍ୟ ଭିତ୍ତିଭୂମିର ସମୀକ୍ଷା କରିବା ସହ ସମସ୍ତ ପ୍ରକାର ମାଗଣା ଔଷଧ ଉପଲବ୍ଧ ରହୁଛି କି ନାହିଁ, ଓପିଡି ସୁବିଧା ଉପଲବ୍ଧ ହେଉଛି କି ନାହିଁ ଇତ୍ୟାଦି ସମ୍ପର୍କରେ ରୋଗୀଙ୍କୁ ପଚାରି ବୁଝିଥିଲେ। ରେଜିଷ୍ଟ୍ରେଶନ କାଉଣ୍ଟରରେ କାର୍ଯ୍ୟ କିଭଳି ଭାବେ ଚାଲିଛି ସେ ନେଇ ମଧ୍ୟ ଡାକ୍ତରଖାନାର କର୍ମଚାରୀଙ୍କୁ ପଚାରି ବୁଝିଥିଲେ। ଏହାପରେ ସେ ନିର୍ମାଣ ହେବାକୁ ଯାଉଥିବା ୩ଶହ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାର ସ୍ଥାନ ବୁଲି ଦେଖିଥିଲେ। କୋଭିଡ୍‌ ଟିକାକରଣ, ମେଡିକାଲ କଲେଜ ଭିତ୍ତିଭୂମି କାର୍ଯ୍ୟ, କର୍ମଚାରୀ ନିଯୁକ୍ତି, ମେଡିକାଲ କଲେଜର ସୁପରିଣ୍ଟେଣ୍ଡେଣ୍ଟ ନିଯୁକ୍ତି ପ୍ରସଙ୍ଗରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ସୁଜାତା ମିଶ୍ରଙ୍କ ସହିତ ଆଲୋଚନା କରିଥିଲେ। ଭୀମ ଭୋଇ ସାମର୍ଥ୍ୟ ଶିବିର ଆୟୋଜନ ନେଇ ଆବଶ୍ୟକ ବ୍ୟବସ୍ଥା କରିବା ପାଇଁ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମେତ ଅନ୍ୟ ଚିକିତ୍ସାଧିକାରୀମାନେ ଉପସ୍ଥିତ ଥିଲେ।