ଛତ୍ରପୁର,୧୩ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସ୍ବାଧୀନତା ଦିବସ ପୂର୍ବରୁ ଦେଶବ୍ୟାପୀ ‘ହର୍ଘର ତ୍ରିରଙ୍ଗା’ ଅଭିଯାନକୁ ସଫଳ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ନିଜ ବାସଭବନରେ ଜାତୀୟ ପତାକା ଲଗାଇ ଏହି ଅଭିଯାନରେ ସାମିଲ ହୋଇଛନ୍ତି।
ଏହି ଅବସରରେ ଜିଲାପାଳ ଜିଲାବାସୀଙ୍କୁ ନିଜ ନିଜ ଘରେ ସମ୍ମାନର ସହ ତ୍ରିରଙ୍ଗା ଲଗାଇ ଏହି ଜାତୀୟ ଅଭିଯାନରେ ସାମିଲ ହେବାକୁ ଆହ୍ବାନ ଜଣାଇଛନ୍ତି। ତ୍ରିରଙ୍ଗା ଆମ ଜାତୀୟ ଏକତା, ଦେଶପ୍ରେମ ଓ ଗୌରବର ପ୍ରତୀକ ହୋଇଥିବାରୁ ଏହାକୁ ସମ୍ମାନର ସହ ପ୍ରଦର୍ଶନ କରିବା ସହ ସ୍ବାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କରିବା ପାଇଁ ସେ ଜିଲାବାସୀଙ୍କୁ ଅନୁରୋଧ କରିଛନ୍ତି।
‘ହର ଘର ତ୍ରିରଙ୍ଗା’ ଅଭିଯାନ ମାଧ୍ୟମରେ ସ୍ବାଧୀନତା ଦିବସ ପାଳନକୁ ଅଧିକ ଗୌରବମୟ କରିବା ସହ ପ୍ରତ୍ୟେକ ଘରେ ଦେଶପ୍ରେମ ଓ ଜାତୀୟତାର ଭାବନା ସୃଷ୍ଟି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜିଲାପାଳ କହିଛନ୍ତି। ଜିଲାର ସମସ୍ତ ନାଗରିକ ଏହି ଅଭିଯାନରେ ଉତ୍ସାହର ସହ ସାମିଲ ହୋଇ ଜାତୀୟ ପତାକା ପ୍ରତି ସମ୍ମାନ ପ୍ରଦର୍ଶନ କରିବାକୁ ସେ ଆହ୍ବାନ ଦେଇଛନ୍ତି।